କରୋନା ମୁକାବିଲା: ଦେଶର ୧୭୦ ଜିଲ୍ଲା ‘ହଟ୍ସ୍ପଟ୍’, ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ସାମିଲ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ବ ଚିନ୍ତିତ। ଭାରତରେ ମଧ୍ୟ କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଡାଉନ୍ ଅବଧିକୁ ୩ ମେ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଅପରପକ୍ଷେ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶର ୧୭୦ଟି ଜିଲ୍ଲାକୁ ‘ହଟ୍ସ୍ପଟ୍’ ଅଞ୍ଚଳ ଭାବେ ଚିହ୍ନଟ କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକରେ ସର୍ବାଧିକ କରୋନା ସଂକ୍ରମଣ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ‘କଣ୍ଟେନ୍ମେଣ୍ଟ’ ଘୋଷଣା ସହ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।
ମହାରାଷ୍ଟ୍ରର ୧୪, ଉତ୍ତରପ୍ରଦେଶର ୧୩, ରାଜସ୍ଥାନର ୧୨, ଆନ୍ଧ୍ରପ୍ରଦେଶର ୧୧, ଦିଲ୍ଲୀର ୧୦ ଓ ତାମିଲନାଡୁର ୨୨ ଜିଲା ହଟ୍ସ୍ପଟ୍ ତାଲିକାରେ ରହିଛି। ସେହିଭଳି ଦେଶର ୨୦୭ ଜିଲ୍ଲା ଅଣ-ହଟ୍ସ୍ପଟ୍ ଚିହ୍ନିତ ହୋଇଛି। ଏହି ଜିଲାଗୁଡ଼ିକରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲେ ମଧ୍ୟ ସଂକ୍ରମଣ ବ୍ୟାପୁ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ହଟ୍ସ୍ପଟ୍ ଭାବେ ଚିହ୍ନିତ ଜିଲାଗୁଡ଼ିକ ରେଡ୍ ଜୋନ୍, ଅଣ-ହଟ୍ସ୍ପଟ୍ ଜିଲାଗୁଡ଼ିକୁ ଅରେଞ୍ଜ ଜୋନ୍ ଓ ଅବଶିଷ୍ଟ ଜିଲାଗୁଡ଼ିକୁ ସବୁଜ ବା ଗ୍ରୀନ୍ ଜୋନ୍ରେ ରଖାଯାଇଛି।
ଗ୍ରୀନ୍ ଜୋନ୍ ଅଞ୍ଚଳରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସି ନାହିଁ। କରୋନା ମୁକାବିଲା ପାଇଁ ସରକାର ସମଗ୍ର ଦେଶକୁ ଏଭଳି ତିନି ଜୋନ୍ରେ ବିଭକ୍ତ କରିଛନ୍ତି। ଏଭଳି କୌଶଳ ଅବଲମ୍ବନ ସମ୍ପର୍କରେ ଦୁଇ ଦିନ ପୂର୍ବେ ସରକାର ନିଷ୍ପତ୍ତି ନେଇଥିଲେ।
ସରକାର ଘୋଷଣା କରିଥିବା ଦେଶର ୧୭୦ ହଟ୍ସ୍ପଟ୍ ଜିଲ୍ଲା ମଧ୍ୟରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ରହିଛି। ସେହିଭଳି କ୍ଲଷ୍ଟର ହଟ୍ସ୍ପଟ୍ ଜିଲ୍ଲା ତାଲିକାରେ ଭଦ୍ରକ ରହିଛି। ସେହିପରି ଅଣ ହଟ୍ସ୍ପଟ୍ ତାଲିକାରେ ଓଡ଼ିଶାର ୭ ଜିଲ୍ଲା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା, କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ଼।