ଘରେ ବସ, ମଉଜ କର: ୮ କୋଟି ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ୯୦,୦୦୦ ଟଙ୍କା
ଓଏଲ୍ ବ୍ୟୁରୋ: କରୋନା ଭୂତାଣୁ ଦ୍ବାରା ଆମେରିକାରେ ସବୁଠୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦେଶବାସୀଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଛି। ଏହାକୁ ଦୃଷ୍ଟିରେ ରଖି ନିମ୍ନ ଆୟକାରୀ ବର୍ଗର ଆୟକର ଦାତାଙ୍କ ଲାଗି ସ୍ବତନ୍ତ୍ର ଅର୍ଥ ସହାୟତା ବ୍ୟବସ୍ଥା କରିଛନ୍ତି ଆମରିକା ସରକାର। ବାର୍ଷିକ ୭୫,୦୦୦ ଡଲାର (ଭାରତୀୟ ମୁଦ୍ରାରେ ୫୬ ଲକ୍ଷ ୨୫ ହଜାର ଟଙ୍କା) ବା ତହିଁରୁ କମ ରୋଜଗାର କରୁଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ୧,୨୦୦ ଡଲାର (୯୦,୦୦୦ ଟଙ୍କା) ପଠାଉଛନ୍ତି ଆମେରିକା ସରକାର।
ପ୍ରାୟ ୩୩ କୋଟି ଜନସଂଖ୍ୟା ବିଶିଷ୍ଟ ଆମେରିକାରେ ପ୍ରତି ୪ ଜଣରେ ଜଣେ ଏପରି ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବହୁ ସଂଖ୍ୟାରେ କିଶୋର କିଶୋରୀ ମଧ୍ୟ ଏହାର ଫାଇଦା ପାଇବେ। ପ୍ରାୟ ୮ କୋଟିରୁ ଅଧିକ ଲୋକ ଏହି ସୁବିଧା ପାଇବେ। କରୋନା ଭାଇରସ୍ ଷ୍ଟିମୁଲସ୍ ପ୍ୟାକେଜ୍ ନାମରେ ଖ୍ୟାତ ଏହି ସହାୟତା ରାଶି ସିଧା ସେମାନଙ୍କର ବ୍ୟାଙ୍କ ଖାତାକୁ ପଠାଇବେ ସରକାର। ସରକାର ଏଥିପାଇଁ ୨ ଟ୍ରିଲିଅନ୍ ବା ଦୁଇ ଲକ୍ଷ କୋଟି ଆମେରିକୀୟ ଡଲାର ବରାଦ କରିଛନ୍ତି ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧୫୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
ତେବେ ଅର୍ଥ ପାଇବା ପାଇଁ ବିଭିନ୍ନ ବିଭାଗୀକରଣ କରାଯାଇଛି। ୭୫,୦୦୦ ଡଲାର ବା ତହିଁରୁ କମ ଆୟକାରୀ ଏକକ ଅଥବା ବିବାହିତ ବ୍ୟକ୍ତି ଯିଏ ନିଜର ଆୟକର ଫାଇଲ୍ ଏକାକୀ କରୁଥିବେ ତାଙ୍କ ଖାତାକୁ ୧,୨ ଡଲାର ଆସିବ। ଏହି ବିଭାଗରେ ସୁବିଧା ପ୍ରଦାନକୁ ସର୍ବାଧିକ ୯୯,୦୦୦ ଡଲାର ଯାଏଁ କୋହଳ କରାଯାଇଛି। ଅର୍ଥାତ ୯୯,୦୦୦ ଡଲାର ପର୍ଯ୍ୟନ୍ତ ଆୟକାରୀ ବ୍ୟକ୍ତି ଏହି ସୁବିଧା ପାଇପାରିବେ। ତେବେ ୭୫,୦୦୦ ଡଲାରରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କୁ ପ୍ରତି ୧୦୦ ଡଲାର ଅତିରିକ୍ତ ଆୟ ପାଇଁ ୧,୨୦୦ ଡଲାର ସହାୟତା ରାଶିରୁ ୫ ଡଲାର ହରାଇବାକୁ ପଡ଼ିବ। ଅର୍ଥାତ୍ ୮୦,୦୦୦ ଡଲାର ଆୟ କରୁଥିବା ବ୍ୟକ୍ତି ୯୫୦ ଡଲାର ସହାୟତା ପାଇବେ। ୯୯,୦୦୦ ଡଲାରରୁ ଅଧିକ ଆୟକକାରୀ ବ୍ୟକ୍ତି କିଛି ପାଇବେ ନାହିଁ।
ଦ୍ବିତୀୟ ବିଭାଗରେ ଅଛନ୍ତି ପରିବାର ପାଇଁ ରିଟର୍ଣ ଫାଇଲ କରୁଥିବା ଗୃହକର୍ତ୍ତା। ଯେଉଁ ପରିବାରର ରୋଜଗାର ୧,୧୨,୫୦୦ ଡଲାରରୁ ୧,୩୬,୫୦୦ ଡଲାର ମଧ୍ୟରେ ସେମାନେ ଏହାର ସୁବିଧା ପାଇପାରିବେ। ଅନୁରୂପ ହିସାବରେ ସେମାନଙ୍କୁ ସହାୟତା ରାଶି ମିଳିବ।
ତୃତୀୟ ପର୍ଯ୍ୟାୟରେ ଅଛନ୍ତି ଏକତ୍ର ଆୟକର ଭରୁଥିବା ଦମ୍ପତି। ସେମାନଙ୍କର ଆୟ ୧,୫୦,୦୦୦ ଡଲାର ବା ତହିଁରୁ କମ ହୋଇଥିବା ଆବଶ୍ୟକ। ସେମାନଙ୍କୁ ୨,୪୦୦ ଡଲାର ମିଳିବ। ଅନୁରୂପ ଭାବେ ସେମାନଙ୍କ ମଧ୍ୟ ୧,୯୮,୦୦୦ ଡଲାର ଯାଏଁ ଏହି ସହାୟତା କ୍ରମ ସଂକୋଚିତ ହାରରେ ଦିଆଯିବ।
ସେହିପରି ୧୭ ବର୍ଷରୁ କମ ଯୋଗ୍ୟ କିଶୋର କିଶୋରୀଙ୍କ ପାଇଁ ସରକାର ଅଲଗା ଭାବେ ୫୦୦ ଡଲାର (୩୭,୫୦୦ ଟଙ୍କା) ସହାୟତା ଘୋଷଣା କରିଛନ୍ତି।
Comments are closed.