ନର୍ସ

ନର୍ସ
ଡ. ଗାୟତ୍ରୀବାଳା ପଣ୍ଡା
ହସିହସି ସେ ପହଂଚିଯିବ ଏବେ ବଖରାରେ
ତା ହସ ଭିତରୁ ବାହାରି ପ୍ରଜାପତିମାନେ
ଉଡ଼ିବୁଲିବେ ବଖରା ସାରା ଆନନ୍ଦରେ।
ହସିବାପାଇଁ ଦରକାର ସାହସ ଓ ନିଷ୍ଠା
ଶ୍ରଦ୍ଧା ଓ ତ୍ୟାଗ ଦରକାର
ବଢେ଼ଇବାକୁ ହାତ ବିନା କିଛି ଉଦ୍ଦେଶ୍ୟରେ।
ସବୁରିକୁ ପୂର୍ଣ୍ଣ କରିଦବାର ଇଚ୍ଛା ତା’ ଭିତରେ।
ଋଣୀ କରିଦବାର ବ୍ୟାକୁଳତା ବି।
ତା’ ଘର କୋଉଠି?
ସେ କୋଉଠି ରହେ?
କାହା କାହାର ଆତ୍ମାରେ?
କାହାର ଅନ୍ୟମନସ୍କତାରେ
କାହାର ଅବ୍ୟକ୍ତ ଆକୁଳତାରେ
କାହାର ଅନିଦ୍ରାପଣରେ?
କୋଉଠି? କୋଉଠି?
କେତେ ଦୂରରେ? କେତେ ପାଖରେ?
ଗୋଟିଏ ପ୍ରଜାପତି ଆସି ବସିପଡେ଼
ମୋ କ୍ଳାଂତ ଆଖିପତା ଉପରେ ତ
ଗୋଟିଏ ବସିପଡେ଼ ମୋ ଶୁଖିଯାଉଥିବା ଓଠ ଉପରେ,
ଆଉ ଗୋଟିଏ ବର୍ଷବର୍ଷର ରାତି ଅନିଦ୍ରା ଉପରେ,
ଆଉ ଗୋଟିଏ ଆସେ ଓ ବସିଯାଏ
ଦ୍ରୁତରୁ ଦ୍ରୁତତର ହୃତ୍ସ୍ପନ୍ଦନରେ ମୋର,
ଗୋଟିଏ ମୋର ରୋଗାକ୍ରାନ୍ତ ମନର ଛନକାପଣରେ
ଓ ଗୋଟିଏ ମୋ ଅସରନ୍ତି ଉଦାସୀନତାରେ।
ଇଂଜେକ୍ସନ୍ ସିରିଞ୍ଜରେ ଓଷଦ ଭରୁଥାଏ ସେ
ପାଣିପଟି ବଦଳଉଥାଏ ମୋର କପାଳରେ
ଘା’ସବୁକୁ ପୋଛୁଥାଏ ତାର ଆତ୍ମୀୟତାର ସ୍ପର୍ଶରେ,
ମତେ ଆଉଜେଇ ଡେରି ଦଉଥାଏ ଜୀବନ କାନ୍ଥରେ।
ସୁନାପିଲାଟି ପରି ମୁଁ ରହିଥାଏ ତା’ ଅକ୍ତିଆରରେ
ଓ ସେ ବି ରହିଯାଏ ମୋର ଯାବତ୍ ଅଳିଅର୍ଦ୍ଧଳିରେ,
ବିଛେଇ ହୋଇଯାଉଥାଏ ଆଂଜୁଳାଏ ବାସ୍ନାଫୁଲପରି
ମୋ ବଂଚିବାର ବ୍ୟାକୁଳତାସାରା କେଡେ଼ ସହଜଭାବରେ ।
Comments are closed.