ବିନା ପଞ୍ଜିକରଣରେ ଓଡ଼ିଶା ମନା
ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ଡାଉନ୍। ୩ ମେ’ ପର୍ଯ୍ୟନ୍ତ ସାରାଦେଶ ଲକ୍ଡାଉନ୍। ଲକ୍ଡାଉନ୍ ହଟିବା ପରେ ଓଡ଼ିଶା ଫେରିବେ ବାହାରେ ଫସିଥିବା ଓଡ଼ିଆ। ଲକ୍ଡାଉନ୍ ପାଇଁ ରାଜ୍ୟ ବାହାରେ ଅନେକ ଶ୍ରମିକ ଫସିରହିଛନ୍ତି। ତେଣୁ ଓଡ଼ିଶା ବାହାରୁ ଓଡ଼ିଆଙ୍କୁ ଆଣିବାକୁ ଅଣ୍ଟା ଭିଡିଲେ ରାଜ୍ୟ ସରକାର।
କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏବେ ଗ୍ରାମାଞ୍ଚଳ ଉପରେ ଅଧିକ ଫୋକସ୍ ଦେଇଛନ୍ତି। ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକମାନେ ବିନା ପଞ୍ଜିକରଣରେ ନିଜ ଘରକୁ ଫେରିପାରିବେ ନାହିଁ ଓ ଓଡ଼ିଶାକୁ ଫେରିବାପରେ ସେମାନଙ୍କୁ ନିଶ୍ଚିତ ଭାବେ ୧୪ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।
କୋଭିଡ-୧୯ ପରିଚାଳନା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବାପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିଜ ପଞ୍ଚାୟତରେ କରୋନା ସଂକ୍ରମଣ କରାଇ ନଦେବା ନିମନ୍ତେ ସରପଞ୍ଚମାନଙ୍କୁ ଶପଥପାଠ କରାଇଛନ୍ତି। ପ୍ରାୟ ୫ଲକ୍ଷ ଲୋକ ଓଡ଼ିଶା ଫେରିବେ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି।
ଆଜି ରାଜ୍ୟ ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂ କହିଛନ୍ତି ଯେ, ଲକଡାଉନ୍ ସରିବାପରେ ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକମାନେ ନିଜନିଜ ଘରକୁ ଫେରିବା ପାଇଁ ବ୍ୟଗ୍ର ହୋଇ ରହିଛନ୍ତି। ଏକ ଆକଳନରୁ ଜଣାପଡ଼ିଛି ଯେ ଏବେ ବିଭିନ୍ନ ରାଜ୍ୟ ପ୍ରାୟ ସାଢ଼େ ୭ଲକ୍ଷ ଓଡ଼ିଆ ଶ୍ରମିକ ଅଛନ୍ତି। ସେମାନଙ୍କ ପାଇଁ ସରକାର ଚିନ୍ତିତ ଓ ସମ୍ବେଦନଶୀଳ ଅଛନ୍ତି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ ପରେ ସେମାନେ ଘରକୁ ଫେରିଲେ ସେମାନଙ୍କ ନିମନ୍ତେ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସରପଞ୍ଚମାନଙ୍କ ସହ କଥା ହୋଇ ସେମାନଙ୍କୁ ତାଙ୍କ ଦାୟିତ୍ୱ ସମ୍ପର୍କରେ ବୁଝାଇଥିଲେ। ତେବେ ସରକାର ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ, ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକମାନେ ଘରକୁ ଫେରିବାକୁ ଚାହିଁଲେ ସେମାନଙ୍କୁ ନିଶ୍ଚିତ ଭାବେ ପଞ୍ଜିକରଣ କରିବାକୁ ପଡ଼ିବ। ସରକାର ଏଥିପାଇଁ ଏକ ୱେବପୋର୍ଟାଲ ତିଆରି କରିଛନ୍ତି ଯାହାକି ଆସନ୍ତା ଶୁକ୍ରବାର ବା ଏପ୍ରିଲ ୨୪ରୁ କାର୍ଯ୍ୟକ୍ଷମ ହେବ। ଏଥିରେ ୩ଟି ମାଧ୍ୟମରେ ପଞ୍ଜିକରଣ କରିହେବ।
୧-ବାହାରେ ଫସିଥିବା ବ୍ୟକ୍ତି ନିଜେ ପଞ୍ଜିକରଣ କରିପାରିବେ
୨-ଅନ୍ୟମାନେ ବି ସେମାନଙ୍କ ପାଇଁ ପଞ୍ଜିକରଣ କରିପାରିବେ
୩-ନିଜ ସମ୍ପର୍କୀୟ ଲୋକ ବି ଫସିଥିବା ବ୍ୟକ୍ତିଙ୍କ ବାବଦରେ ଏକ ଫର୍ମ ପୂରଣ କରି ପଞ୍ଚାୟତରେ ଦେଇ ପାରିବେ। ପଞ୍ଚାୟତରେ ଥିବା କର୍ମଚାରୀ ଉକ୍ତ ତଥ୍ୟକୁ ପୋର୍ଟାଲରେ ପଞ୍ଜିକରଣ କରାଇବେ।
ପଞ୍ଜିକରଣ ହେଲେ କେଉଁ ରାଜ୍ୟରୁ କେତେ ଲୋକ କେଉଁଠିକି ଆସିବେ ତାହା ସରକାର ଜାଣିପାରିବେ ଓ ସେହି ଅନୁସାରେ ବ୍ୟବସ୍ଥା କରିପାରିବେ। ଏହି ଲୋକମାନଙ୍କର ଫେରିବାର ସମସ୍ତ ବ୍ୟବସ୍ଥା ସରକାର କରିବେ।
ବାହାରେ ଫସିଥିବା ଓଡ଼ିଆମାନେ ଆସିବା ପରେ ସେମାନଙ୍କୁ ସିଧା ଗ୍ରାମପଞ୍ଚାୟତ ସ୍ତରରେ ଖୋଲା ଯାଇଥିବା ସ୍ୱାସ୍ଥ୍ୟ ଶିବିରକୁ ନିଆଯିବ। ସେଠାରେ ସେମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯିବ। ସେମାନଙ୍କର ଖାଇବା, ରହିବା, ଚିକିତ୍ସା ସବୁ ବହନ କରିବେ ସରକାର। କେହି ବି ଜଣେ ବାହାରୁ ଆସିଲେ ଘରକୁ ଯାଇ ପାରିବେନି।
ବର୍ତ୍ତମାନ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ପ୍ରାୟ ୭୦୦୦ହଜାର ଅସ୍ଥାୟୀ ଚିକିତ୍ସାଳୟ ହୋଇଛି ଓ ସେଥିରେ ୨ଲକ୍ଷ ବେଡ୍ ସୁବିଧା ରହିଛି। ମାତ୍ର ଓଡ଼ିଶାକୁ ପ୍ରାୟ ୫ଲକ୍ଷ ଲୋକ ଫେରିବାର ଥିବାରୁ ଏଥିପାଇଁ ସରକାର ଆବଶ୍ୟକତା ଅନୁସାରେ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ପଦକ୍ଷେପ ନେଉଛନ୍ତି। କ୍ୱାରେଣ୍ଟାଇନରେ ରହିବାବେଳେ ଯଦି କାହାରି ଦେହରେ କିଛି ଲକ୍ଷଣ ଦେଖାଦେଲା ତାଙ୍କୁ ନିକଟସ୍ଥ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି।
Comments are closed.