ଓଡ଼ିଶାର ବିଶ୍ବକର୍ମା: ସବୁଥିରେ ପ୍ରଥମ ଥିଲେ ମଧୁବାବୁ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ପୂଣ୍ୟ ଜନ୍ମତିଥି। କେବଳ ନୂଆ ଓଡ଼ିଶାର ନୁହେଁ, ବରଂ ଆଧୁନିକ ଭାରତର ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମଧୁବାବୁ। ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲା ସତ୍ୟଭାମାପୁରରେ ଜନ୍ମିତ ଏହି ମହାପୁରୁଷଙ୍କ ଜୀବନ ଓ କର୍ମ ବାବଦରେ ପ୍ରାୟ ଓଡ଼ିଆ ପାଠକ ଉଣାଅଧିକେ ଅବଗତ ଥିବେ। ତେବେ ସେ ଅନେକ କ୍ଷେତ୍ରରେ ଓଡ଼ିଶାର ପ୍ରଥମ ବ୍ୟକ୍ତିତ୍ୱ ଥିଲେ। ଜଣେ ସାହସୀ ଓ ସ୍ୱାଭିମାନୀ ଓଡ଼ିଆ ଭାବେ ପରିଚିତ ମଧୁବାବୁଙ୍କର ସେମିତି କିଛି କାର୍ଯ୍ୟ ଓ ସଫଳତା ସମ୍ବନ୍ଧରେ ଆସନ୍ତୁ ଜାଣିବା।
ଆଲେଖ: ଶୁଭ୍ରାଂଶୁ ପଣ୍ଡା
ଦେଶରେ ପ୍ରଥମ ସମବାୟ ସଂସ୍ଥା ପ୍ରତିଷ୍ଠାତା
କେବଳ ଓଡ଼ିଶା ନୁହେଁ, ଭାରତର ପ୍ରଥମ ସମବାୟ ସଂସ୍ଥା ପ୍ରତିଷ୍ଠା କରିଥିଲେ ମଧୁସୂଦନ ଦାସ। ୟୁରୋପ ରହଣି ବେଳେ ସମବାୟ ସଂସ୍ଥା ବାବଦରେ ଆହରଣ କରିଥିବା ଜ୍ଞାନକୁ ପୁଞ୍ଜି କରି ୧୮୯୮ ମସିହା ଜୁନ ୧୧ ତାରିଖରେ ସେ ପ୍ରତିଷ୍ଠା କରିଥିଲେ The Cuttack Cooperative Store ନାମରେ ଏକ ସମବାୟ ସଂଗଠନ। ମଧୁବାବୁ ନିଜେ ଏହାର ସଂପାଦକ ରହିଲେ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ ଏହାର କୋଷାଧ୍ୟକ୍ଷ ଦାୟିତ୍ୱରେ ଥିଲେ। ପରେ ମଧୁବାବୁ National Agriculture Cooperative Bank of Orissaର ସ୍ୱପ୍ନ ଦେଖିଥିଲେ ଯାହା ଏଯାଏଁ ଅଧୁରା ରହିଯାଇଛି।
ପ୍ରଥମ ଓଡ଼ିଆ ଉଦ୍ୟୋଗପତି
ଦେଶବ୍ୟାପୀ ଏବେ ଉଦ୍ୟୋଗର ଲହରୀ ଖେଳୁଥିବା ବେଳେ ୧୧୫ ବର୍ଷ ତଳେ ମଧୁବାବୁ ଓଡ଼ିଶାରେ ଉଦ୍ୟୋଗର ସ୍ୱପ୍ନ ଦେଖିଥିଲେ। ସମବାୟ ସଂସ୍ଥା ପ୍ରତିଷ୍ଠା ପରେ ସେ ଓଡ଼ିଶାର ଚମଡ଼ା ଶିଳ୍ପକୁ ସଂଗଠିତ କରିବାକୁ ଉଦ୍ୟମ କଲେ। ୧୯୦୫ ମସିହାରେ ସେ ପ୍ରତିଷ୍ଠା କରିଥିଲେ ନିଜର ଜୋତା କାରଖାନା ଉତ୍କଳ ଟ୍ୟାନେରୀ। ଏଠାରେ ସେ ୩୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ। ପ୍ରାୟ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟକ୍ଷମ ଏହି କାରଖାନାରୁ ଭାରତର ବିଭିନ୍ନ ପ୍ରାନ୍ତ ସମେତ ୟୁରୋପ ଓ ଜାପାନକୁ ଯୋତା ରପ୍ତାନୀ ହେଉଥିଲା। ମହାତ୍ମା ଗାନ୍ଧିଜୀଙ୍କ ସ୍ୱଦେଶୀ ଆନ୍ଦୋଳନର ବହୁ ପୂର୍ବରୁ ୧୮୯୭ ମସିହାରେ ଓଡ଼ିଶାର କୁଟୀର ଶିଳ୍ପର ପ୍ରସାର ପାଇଁ ମଧୁବାବୁ ପ୍ରତିଷ୍ଠା କରିଥିଲେ Orissa Art Ware ପ୍ରତିଷ୍ଠାନ।
ପ୍ରଥମ ଓଡ଼ିଆ ସ୍ନାତକ
ମଧୁବାବୁ ହେଉଛନ୍ତି ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ଡିଗ୍ରିୀଧାରୀ ଓ ପ୍ରଥମ ଏମ୍ଏ ଡିଗ୍ରୀଧାରୀ। କଟକ ହାଇସ୍କୁଲରୁ (ପରେ ରାଭେନ୍ସା କଲେଜିଏଟ୍ ସ୍କୁଲ ଭାବେ ପରିଚିତ) ଉତ୍ତୀର୍ଣ ହେବା ପରେ ସେ ଉଚ୍ଚଶିକ୍ଷା ପାଇଁ ମନ ବଳାଇଲେ। ୧୮୬୪ରେ ସେ କାଲକାଟା ବିଶ୍ୱବିଦ୍ୟାଳୟର ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ ହେଲେ। ଆର୍ଥିକ ଓ ଅନ୍ୟାନ୍ୟ ପାରିବାରିକ ସମସ୍ୟା ସତ୍ତ୍ବେ ସେ ସେ ୧୮୬୬ରୁ ୧୮୮୧ ଯାଏଁ ପ୍ରାୟ ୧୫ ବର୍ଷ କଲିକତାରେ ରହିଲେ। ତା ଭିତରେ ୧୮୭୦ରେ ପ୍ରଥମ ଓଡ଼ିଆ ଭାବେ ସେ ସ୍ନାତକ ଓ ୧୮୭୩ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।
ପ୍ରଥମ ଓଡ଼ିଆ ଓକିଲ
ମଧୁବାବୁ ହେଉଛନ୍ତି ପ୍ରଥମ ଓଡ଼ିଆ ଆଇନଜୀବୀ। ୧୮୭୮ରେ ସେ ବିଏଲ୍ ଡିଗ୍ରୀ ହାସଲ କଲେ। ୧୮୮୧ରେ ଓଡ଼ିଶା ଫେରି ଆଇନଜୀବୀ ଭାବେ ଓଡ଼ିଶାବାସୀଙ୍କ ପାଇଁ କାର୍ଯ୍ୟ କରିବାର ପଣ କରିଥିଲେ ମଧୁବାବୁ। ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ସୁଦ୍ଧା ଜଗନ୍ନାଥ ମନ୍ଦିର ପାଇଁ ପୁରୀ ଗଜପତିଙ୍କ ପକ୍ଷ ନେଇ ୧୮୮୬ରେ ବ୍ରିଟିଶ୍ ସରକାର ବିରୋଧରେ କଲିକତା ହାଇକୋର୍ଟରେ ଓକିଲାତି କରିଥିଲେ ମଧୁବାବୁ। ମାମଲାରେ ବିଜୟୀ ମଧ୍ୟ ହୋଇଥିଲେ ସେ।
ଭାରତର ପ୍ରଥମ ଲବଣ ଆନ୍ଦୋଳନ
ମହାତ୍ମା ଗାନ୍ଧିଙ୍କ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ମଧୁବାବୁ ଓଡ଼ିଶାରେ ଲୁଣ କର ବିରୋଧରେ ସ୍ୱର ଉଠାଇଥିଲେ। କଟକ ମୁନିସିପାଲ ହାଟରେ ୧୧ ଫେବ୍ରୁଆରି ୧୮୮୮ରେ ମଧୁସୂଦନ ଏ ନେଇ ସାଧାରଣ ଲୋକଙ୍କୁ ସଚେତନ କରାଇବା ସହ ବ୍ରିଟିଶ-ଭାରତ ସରକାରଙ୍କ କର୍ମଚାରୀଙ୍କ ସହ ତର୍କ କରିଥିଲେ ଓ ସରକାରଙ୍କୁ ଲିଖିତ ଭାବେ ପ୍ରତିବାଦ ଜଣାଇଥିଲେ। ସେ ଯୁକ୍ତି ଦର୍ଶାଇଥିଲେ ଯେ ଇଂଲଣ୍ଡରେ ୩୦୦ ଟଙ୍କା ମୁଣ୍ଡ ପିଛା ଆୟ ବେଳେ ଲୁଣ କର ମାତ୍ର ୮ ଟଙ୍କା ନିଆଯାଉଛି, ଅଥଚ ଭାରତରେ ୨୦ ଟଙ୍କା ମୁଣ୍ଡ ପିଛା ଆୟ କରୁଥିବା ବ୍ୟକ୍ତି ୧୬ ଟଙ୍କା କର ଦେବେ କାହିଁକି? ୧୮୮୮ ନଭେମ୍ବରରେ ଏ ସମ୍ପର୍କରେ ସେ ଓଡ଼ିଶା ଆସୋସିଏସନ୍(ଉତ୍କଳ ସଭା)ର ସଭାପତି ଭାବେ ଓଡ଼ିଶାବାସୀଙ୍କ ପକ୍ଷରୁ ବେଙ୍ଗଲ ଉପରାଜ୍ୟପାଳ Sir Stewert Colvatu Bayleyଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ।
ପ୍ରଥମ ଓଡ଼ିଆ ସଂଗଠନ ଗଠନ
ଜାତୀୟ ଆନ୍ଦୋଳନକୁ ଉତ୍ପ୍ରେରିତ କରିବା ପାଇଁ ସମ୍ଭବତଃ ଓଡ଼ିଶାରେ ପ୍ରତିଷ୍ଠିତ ପ୍ରଥମ ସଂଗଠନ ହେଉଛି ଓଡ଼ିଶା ଆସୋସିଏସନ୍ (ଉତ୍କଳ ସଭା)। ୧୮୮୨ରେ ଏହି ରାଜ୍ୟସ୍ତରୀୟ ମଞ୍ଚ ପ୍ରତିଷ୍ଠା ହୋଇଥିଲା। ଏହା ପୂର୍ବରୁ ଅବଶ୍ୟ ବାଲେଶ୍ୱରରେ ‘ନେଶନାଲ୍ ସୋସାଇଟି’ (୧୮୭୮) ଓ ପାରଳାଖେମୁଣ୍ଡିରେ ‘ଉତ୍କଳ ହିତୈଷିଣୀ ସଭା’ (୧୮୮୧) ଗଠିତ ହୋଇଥିଲା। କିନ୍ତୁ ସେସବୁ ଆଞ୍ଚଳିକ ମଞ୍ଚ ଭାବରେ ରହି କ୍ରମଶଃ ସତ୍ତା ହରାଇଥିଲା। ପରେ ୧୯୦୩ ମସିହାରେ ମଧୁସୂଦନ ଦାସଙ୍କ ନେତୃତ୍ୱରେ ସ୍ଥାପିତ ବିଶାଳ ଓ ଐତିହାସିକ ଓଡ଼ିଆ ସଂଗଠନ ‘ଉତ୍କଳ ସମ୍ମିଳନୀ।
ପ୍ରଥମ ବିଲାତ ଯାତ୍ରୀ
ପ୍ରଥମ ଓଡ଼ିଆ ଭାବେ ବିଲାତ ଯାତ୍ରା କରିଥିଲେ ମଧୁବାବୁ। ଉଚ୍ଚଶିକ୍ଷା ହାସଲ ଉଦ୍ଦେଶ୍ୟରେ ବିଏଲ୍ ଶିକ୍ଷା ସମାପ୍ତ ପରେ ସେ ପ୍ରଥମ ଓଡ଼ିଆ ବ୍ୟକ୍ତି ଭାବେ ଇଂଲଣ୍ଡ ଯାଇଥିଲେ। ତାଙ୍କର ଇଂଲଣ୍ଡ ଗସ୍ତ ସମୟରେ ସେ ଶିକ୍ଷା, ସ୍ୱାସ୍ଥ୍ୟ, ସମବାୟ ଓ ଶିଳ୍ପ ଆଦି କ୍ଷେତ୍ରରେ ବ୍ୟାପକ ଜ୍ଞାନ ହାସଲ କରିଥିଲେ ଏବଂ ପରେ ସେସବୁ ଓଡ଼ିଶା ଗଠନରେ ପ୍ରୟୋଗ କରିଥିଲେ। ୧୯୦୭ ମସିହାରେ କନିକା ରାଜାଙ୍କ ସହ ଦ୍ୱିତୀୟ ଥର ପାଇଁ ବିଲାତ ଗସ୍ତରେ ଯାଇଥିଲେ ମଧୁସୂଦନ।
ପ୍ରଥମ ଇଂରାଜୀ ଖବରକାଗଜ
ଓଡ଼ିଶାର ପ୍ରଥମ ଇଂରାଜୀ ଦୈନିକ ‘ଦି ନ୍ୟୁ ଓଡ଼ିଶା’ ପ୍ରକାଶନ(୫ ମେ ୧୯୩୩)ର ବହୁ ପୂର୍ବରୁ ଏକ ସାପ୍ତାହିକ ଇଂରାଜୀ ପତ୍ର ସଂପାଦନା କରୁଥିଲେ ମଧୁବାବୁ। ୧୯୧୭ ମସିହାରେ ‘ଦି ଓରିୟା’ (The Oriya) ନାମରେ ସେ ଏକ ସାପ୍ତାହିକ ସମ୍ବାଦ ପତ୍ର ପ୍ରକାଶ କରୁଥିଲେ।
ପ୍ରଥମ ବିଧାନ ସଦସ୍ୟ ଓ ମନ୍ତ୍ରୀ
ବିହାର-ଓଡ଼ିଶା ବିଧାନ ପରିଷଦ ସଭ୍ୟ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ୨୦ ଜାନୁଆରି ୧୯୧୩ରେ ବିହାର-ଓଡ଼ିଶା ବିଧାନ ପରିଷଦ ସଭ୍ୟ ଭାବେ ଶପଥ ନେଇଥିଲେ ମଧୁବାବୁ। ତାଙ୍କ ପରେ ୧୯୧୭ରେ ଉତ୍କଳମଣି ଗୋପବନ୍ଧୁ ଦାସ ବିଧାନ ପରିଷଦର ସଭ୍ୟ ହୋଇଥିଲେ। ୧୯୨୧ରେ ପ୍ରଥମ ଓଡ଼ିଆ ଭାବେ ମଧୁବାବୁ ବିହାର-ଓଡ଼ିଶା ବିଧାନ ପରିଷଦରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ମନ୍ତ୍ରୀ ହେବାରେ ଏହି ବିଧାନ ପରିଷଦରେ ସେ ଦ୍ୱିତୀୟ ବ୍ୟକ୍ତି। ନୀତିଗତ କାରଣରୁ ୧୯୨୩ରେ ସେ ଇସ୍ତଫା ଦେଇଥିଲେ।
ଏହିଭଳି ବହୁ କ୍ଷେତ୍ରରେ ପ୍ରଥମ ଥିଲେ ନୂଆ ଓଡ଼ିଶାର ବିଶ୍ବକର୍ମା ମଧୁସୂଦନ ଦାସ। ଏହା ଭିନ୍ନ ସମ୍ବଲପୁରରେ ଓଡ଼ିଆ ଭାଷା ପ୍ରଚଳନ, ମହିଳାଙ୍କ ପାଇଁ କଟକରେ ସ୍ୱତନ୍ତ୍ର ଡାକ୍ତରଖାନା ସ୍ଥାପନ, ମାଡ୍ରାସ୍ ପ୍ରୋଭିନ୍ସରେ ଓଡ଼ିଆକୁ ରାଜଭାଷାର ମାନ୍ୟଦା ଦେବା ଓ ସର୍ବୋପରି ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନରେ ତାଙ୍କର ଭୂମିକା ଆଗ୍ରଗଣ୍ୟ। ନବ ଉତ୍କଳର ଅସଲ ଗୌରବ, ସ୍ୱାଭିମାନୀ ଓଡ଼ିଆ, ପଗଡ଼ି ପୁରୁଷ ମଧୁସୂଦନ ଦାସଙ୍କୁ ତାଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି।
Comments are closed.