ଜୁଲାଇ ୨୪ ସୁଦ୍ଧା ଶେଷ ହେବ +୩ ଶେଷ ବର୍ଷ ପରୀକ୍ଷା: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧିନରେ ଥିବା +୩ ମହାବିଦ୍ୟାଳୟ, ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୩ ର ୬ଷ୍ଠ ସେମିଷ୍ଟାର ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରକାଶ ହେବ।
ସେହିପରି ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଗୁଡିକର କୂଳପତିମାନଙ୍କ ସହିତ ଭିଡ଼ିଓ କଂଫେରେନ୍ସ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ସମ୍ପର୍କରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।
ସେହିପରି ଚଳିତ ବର୍ଷ ଠାରୁ ଆରମ୍ଭ ହେବାକୁ ଥିବା ପିଜି ଏକକ ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ଓ ଅକ୍ଟୋବରରେ କରାଯିବ। ନଭେମ୍ବରରୁ ପିଜି ପ୍ରଥମ ବର୍ଷ କ୍ଲାସ ଆରମ୍ଭ ହେବ। ଏହାଛଡା ଛାତ୍ର ଛାତ୍ରୀ ମାନଙ୍କୁ ଅନଲାଇନ ରେ ଶିକ୍ଷାଦାନ ଏବଂ ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ଏକ କମିଟି ଗଠନ କରାଯାଇଛି। କମିଟି ଏନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ବ। ଆସନ୍ତାକାଲିଠାରୁ ସବୁ ଡିଗ୍ରୀ କଲେଜ ଓ ବିଶ୍ଵବିଦ୍ୟାଳୟ ଗୁଡିକ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ କ୍ୟାମ୍ପସ ଖୋଲିବେ। ପ୍ରତି ୧୫ ଦିନରେ ଥରେ କୁଳପତିମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଲୋକ ସେବା ଭବନରେ ଅନୁଷ୍ଠିତ ଭିଡିଓ କନଫରେନ୍ସ ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସ ଉପସ୍ଥିତ ଥିଲେ। ୧୧ଟି ବିଶ୍ଵବିଦ୍ୟାଳୟର କୁଳପତି ମାନେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ।
Comments are closed.