୧୫ ନୂଆ ଆକ୍ରାନ୍ତ: ପୁରୀକୁ ଲେଉଟିଲା କରୋନା, ଅନୁଗୁଳ, ବୌଦ୍ଧ ସାମିଲ

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୮୩ ଜଣ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ସକାଳେ ୫୮, ମଧ୍ୟାହ୍ନରେ ୧୦ ଓ ଏବେ ଆଉ ୧୫ ଜଣ ଆକ୍ରାନ୍ତ ଠାବ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କୋଭିଡ୍ ରୋଗୀଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି। ସଂଧ୍ୟାରେ ଯାଜପୁରରେ ୧, ପୁରୀରେ ୨, ଗଞ୍ଜାମରେ ୭, ଅନୁଗୁଳରେ ୨ ଓ ବୌଦ୍ଧରେ ୩ ଜଣ ଠାବ ହୋଇଛନ୍ତି।
ପ୍ରଥମ ଥର ପାଇଁ ଆଜି ଅନୁଗୁଳ ଓ ବୌଦ୍ଧରେ କରୋନା ରୋଗୀ ଠାବ ହୋଇଛନ୍ତି। ଅନୁଗୁଳରେ ସକାଳେ ୧୩ ଜଣ ଆକ୍ରାନ୍ତ ଠାବ ହୋଇଥିଲେ। ଅନ୍ୟପଟେ ପ୍ରଥମ ପାଳି ଲକ୍ଡାଉନ୍ରେ ପୁରୀରେ ଠାବ ହୋଇଥିବା ଏକମାତ୍ର କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ଜିଲ୍ଲାକୁ ପୁଣି କରୋନା ଲେଉଟିଛି।
ରାଜ୍ୟର ୨୧ଟି ଜିଲ୍ଲାକୁ କରୋନା ବ୍ୟାପିଛି। ଏଯାବତ୍ ମୋଟ ୩୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୬ ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।