ଭାରତରେ କରୋନା: ୨୪ ଘଣ୍ଟାରେ ସର୍ବାଧିକ ୫୨୪୨ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ଲକ୍ଡାଉନ୍ ର ୪ର୍ଥ ପର୍ଯ୍ୟାୟ। ମହାମାରୀ କରୋନା ଭାଇରସ୍ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୯୬ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୫୨୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୫୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଦେଶରେ ପ୍ରଥମ ଥର ପାଇଁ ୨୪ ଘଣ୍ଟାରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ସକାଳ ୮ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬,୧୬୯ରେ ପହଁଞ୍ଚିଛି। ସେମଧ୍ୟରୁ ୩୦୨୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୫୬,୩୧୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ଏପର୍ଯ୍ୟନ୍ତ ୩୬,୮୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତକାଲି ଗୋଟିଏ ଦିନରେ ଦେଶରେ ୩୯୫୬ ଜଣ ଆାକ୍ରାନ୍ତ ସୁସ୍ଥ ହୋଇଥିଲେ।
ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଗତ କିଛି ଦିନ ହେବ ମୃତକଙ୍କ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
Comments are closed.