ଚଳିତ ବର୍ଷ ବୋଲବମ୍ ବନ୍ଦ
ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ନେଲେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଚଳିତବର୍ଷ ବୋଲବମ୍ ଉପରେ ରାଜ୍ୟ ସରକାର ଲଗାଇଲେ କଟକଣା। ଚଳିତ ବର୍ଷ ଶ୍ରାବଣ ସୋମବାରରେ ଶିବ ମନ୍ଦିରମାନଙ୍କରେ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ। ସେମାନଙ୍କୁ ଶିବ ମନ୍ଦିରରେ ଶ୍ରାବଣୀ ପାଣି ଢ଼ାଳିବାକୁ ଅନୁମତି ଦିଆଯିବ ନାହିଁ। ରାଜ୍ୟରେ ଜୁଲାଇ ୩୧ ତାରିଖ ଯାଏ କରୋନା ଲକ୍ଡାଉନ୍ ଜାରି ରହିଛି।
ଏହି ସମୟରେ ସାମାଜିକ , ଧାର୍ମିକ , ରାଜନୈତିକ ସମାବେଶ କିମ୍ବା ଉତ୍ସବ ଉପରେ କଟକଣା ଜାରି କରାଯାଇଛି। ତେଣୁ ଶ୍ରାବଣ ମାସରେ କାଉଡିଆଙ୍କ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା।
ଚଳିତ ବର୍ଷ କରୋନା ମହାମାରୀ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଆଉ ଏପରି ସମୟରେ ମନ୍ଦିର ଗୁଡ଼ିକରେ ଭିଡ଼ି ଲାଗିଲେ ସଂକ୍ରମଣ ଭୟ ଥିବାରୁ କାଉଡ଼ିଆ ପ୍ରକିୟାକୁ ବନ୍ଦ ରଖାଯିବ। କୌଣସି ଭକ୍ତ ଜଳଲାଗି କରିବେ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶାନାମ ଜାରି କରାଯାଇଛି ଏବଂ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ତେବେ ଜିଲ୍ଲା ପ୍ରଶାସନ ଏହି ନିର୍ଦ୍ଦେଶାନାମାର ତଦାରଖ କରିବେ।
Comments are closed.