ନୂଆ ଆଶା: ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି

ଭୁବନେଶ୍ବର: ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏସବୁ ନିରାଶା ଭିତରେ ନୂଆ ଆଶା ଦେଖାଇଛି ପ୍ଲାଜମା ଥେରାପି। ରାଜ୍ୟରେ ସଫଳ ହୋଇଛି ପ୍ଲାଜମା ଥେରାପି ଚିକିତ୍ସା। ରାଜ୍ୟରେ ୬ଜଣ ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଚିକିତ୍ସା କରାଯାଇଥିଲା। ସେ ମଧ୍ୟରୁ ୪ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୨ଜଣଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ହୋଇଥିବା ସୂଚନା ରହିଛି। ସୁସ୍ଥ ହୋଇଆସୁଥିବା ଆକ୍ରାନ୍ତ ୪ ଜଣ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବା ନେଇ ସୂଚନା ରହିଛି।
ଓଡ଼ିଶାରେ ସମ୍ ହସ୍ପିଟାଲରେ ୪ଜଣଙ୍କୁ ଏବଂ ଅଶ୍ୱିନୀ ହସ୍ପିଟାଲାରେ ୨ଜଣଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୪ଜଣ ଖୁବଶୀଘ୍ର ସୁସ୍ଥ ହେଉଛନ୍ତି ଏବଂ ସେମାନଙ୍କୁ ଡ଼ିସଚାର୍ଜ କରାଯିବ। ଅନ୍ୟ ୨ଜଣଙ୍କ ଅବସ୍ଥା ମଧ୍ୟ ସ୍ଥିର ରହିଥିବା ସରକାରଙ୍କ ତରଫରୁ କୁହାଯାଇଛି।
ସମ୍ ହସ୍ପିଟାଲରେ ୪ଜଣଙ୍କୁ ପ୍ଲାଜମା ଥେରାପି ଦେବା ପରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଆଉ ଅକ୍ସିଜେନ ସହାୟତା ଆବଶ୍ୟକ ପଡୁନାହିଁ। ଅଶ୍ୱିନୀରେ ମଧ୍ୟ ଜଣଙ୍କୁ ଆଉ ବାହାରୁ ଅମ୍ଲଜାନ ସହାୟତା ଦରକାର ପଡ଼ୁନାହିଁ।
ତେବେ ଜାଣନ୍ତୁ କ’ଣ ଏହି ପ୍ଲାଜମା ଥେରାପି:
ସାରା ବିଶ୍ୱରେ ଗୁରୁତର ଭାବେ କରୋନାରେ ଆକ୍ରାନ୍ତ ରୋଗୀଙ୍କୁ ପ୍ଲାଜମା ଥେରାପି ଚିକିତ୍ସା ଅନେକ ସ୍ଥାନରେ ଫଳପ୍ରଦ ହେଉଛି। ଆରବିସି ଓ ଡବ୍ଲୁସି ପରି ପ୍ଲାଜ୍ମା ମଧ୍ୟ ହେଉଛି ରକ୍ତର ଏକ ଉପାଦାନ। କରୋନା ଭୂତାଣୁ ସଂକ୍ରମିତ ସୁସ୍ଥ ହେବା ପରେ ସେମାନଙ୍କ ଶରୀରରେ ଆଣ୍ଟିବଡି ବା ପ୍ରତିଷେଧକ ବିକଶିତ ହୋଇଥାଏ। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ରକ୍ତରୁ ଏହି ଆଣ୍ଟିବଡି ବାହାର କରାଯାଇ ଅନ୍ୟ କରୋନା ଆକ୍ରାନ୍ତଙ୍କ ଶରୀରରେ ଛଡାଯାଏ। ଏହି ପ୍ରକିୟାକୁ ପ୍ଲାଜମା ଥେରାପି ବୋଲି କୁହାଯାଏ।
କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତ ହିଁ ପ୍ଲାଜମା ଥେରାପୀ ପାଇଁ ଉପଯୋଗୀ ହୋଇଥାନ୍ତି। ପୁରୁଷ କିମ୍ବା ଗର୍ଭବତୀ ହୋଇନଥିବା ମହିଳାଙ୍କ ବୟସ ୧୮ରୁ ୬୦ ବର୍ଷ ଏବଂ ଓଜନ ୫୫ କେଜିରୁ ଅଧିକ ହୋଇଥିବା ଦରକାର। ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ୨ ସପ୍ତାହ ପରେ ହିଁ ନିଜ ରକ୍ତ, ପ୍ଲାଜମା ଥେରାପି ପାଇଁ ଦେଇ ପାରିବେ। କରୋନାରୁ ସୁସ୍ଥ ହୋଇଥିବା ଡୋନର୍ ରକ୍ତ ଦାନ କଲା ପରେ ସେଥିରୁ ପ୍ଲାଜ୍ମା ସଂଗ୍ରହ କରି, ବାକି ଉପାଦାନ ପୁଣିଥରେ ସମ୍ପୃକ୍ତ ଡୋନର୍ଙ୍କୁ ଫେରାଇ ଦିଆଯାଏ।ରକ୍ତ ଦେବା ପୂର୍ବରୁ ତାଙ୍କର କୋଭିଡ୍-୧୯ ପରୀକ୍ଷା ଦୁଇଥର ନେଗେଟିଭ ଆସିବା ଜରୁରୀ ହୋଇଥାଏ।
Comments are closed.