ଆସୁଛି ନୂଆ ଖବର ଚାନେଲ୍ ‘ଲୋକ ଟିଭି’
ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଖବର ଚାନେଲ୍। ଏହାର ନାମ ‘ଲୋକ ଟିଭି’ ରହିଛି ବୋଲି ବିଶ୍ବସନୀୟ ସୂତ୍ରରୁ ଖବର ମିଳିଛି। ଏବେ ଏହି ଚାନେଲ୍ର ଷ୍ଟୁଡିଓ ନିର୍ମାଣ କାମ ଯୋରସୋର୍ରେ ଆଗେଇ ଚାଲିଥିବା ବେଳେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି।
ମିଳିଥିବାସୂଚନା ଅନୁସାରେ, କରୋନା ମହାମାରୀ ଜନିତ ଲକ୍ଡାଉନ୍ କାରଣରୁ ଏହି ନୂଆ ଟିଭି ଚାନେଲ୍ର କାମ ବ୍ୟାହତ ହୋଇଥିବା ବେଳେ ଜୁନ୍ ମାସରୁ ପୁଣି ଥରେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ଏକାଧିକ ଓଡ଼ିଆ ଖବର ଚାନେଲରେ ନେତୃତ୍ବ ନେବାର ଅଭିଜ୍ଞତା ଥିବା ଜଣେ ବରିଷ୍ଠ ଟିଭି ସାମ୍ବାଦିକ ‘ଲୋକ ଟିଭି’ର ମୁଖ୍ୟ ଦାୟିତ୍ବରେ ରହିବେ ବୋଲି ସୂଚନା ମିଳିଛି।
ସାଧାରଣ ଲୋକଙ୍କର ସ୍ବର ଓ ସମସ୍ୟାକୁ ଏହି ଟିଭି ଚାନେଲ ପ୍ରାଥମିକତା ଦେବାରେ ଅନ୍ୟ ପ୍ରତିଯୋଗୀଙ୍କ ଠାରୁ ଆଗରେ ରହିବାର ଯୋଜନା କରୁଛି। ସେହିପରି ଏଥିରେ କାମ କରିବାକୁ ଥିବା ସାମ୍ବାଦିକଙ୍କ ଚୟନ ପ୍ରକ୍ରିୟା ମଧ୍ୟ ଚିରାଚରିତ ସାମ୍ବାଦିକତା ଚୟନ ଠାରୁ ଅଲଗା ବୋଲି ଜଣାପଡ଼ିଛି।
ଏହାର ସାମ୍ବାଦିକମାନେ ଜଣେ ଜଣେ ଲୋକସେବକ ଭାବେ କାର୍ଯ୍ୟକରିବା ଲାଗି ରୂପରେଖ ପ୍ରସ୍ତୁତ କରୁଛନ୍ତି ଏହାର ‘ଲୋକ ଟିଭି’ର ସମ୍ପାଦନା ମଣ୍ଡଳ। ରାଜ୍ୟର ଏକ ପୁରୁଣା ଖବରକାଗଜ ସଂସ୍ଥା ଏହି ‘ଲୋକ ଟିଭି’ ଚାନେଲକୁ ପରୋକ୍ଷ ସହଯୋଗ କରିବାକୁ ଆଗେଇ ଆସିଥିବା ସୂଚନା ରହିଛି। କରୋନା ପ୍ରଭାବ ପ୍ରଶମିତ ହେଲେ ୨୦୨୧ ଆରମ୍ଭରେ ଏହି ଚାନେଲ୍ ଜନତାଙ୍କ ସାମନାକୁ ଆସିବାର ସମ୍ଭାବନା ରହିଛି।
Comments are closed.