କରୋନା: ଚାଲିଗଲା ଆଉ ୧୦ ଜୀବନ, ରାଜ୍ୟରେ ମୋଟ ୬୨୬
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ଅଗଷ୍ଟ ମାସ ପରି ସେପ୍ଟମ୍ବର ମାସରେ ମଧ୍ୟ କରୋନା ଗ୍ରାଫ୍ ଉପର ମୁହାଁ। ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୯୧୩ ନୂଆ କରୋନା ପଜିଟିଭ ଆଜି ରବିବାର ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଆଜି କରୋନାରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି କଟକରୁ ୨, ଗଞ୍ଜାମ, ବାଲେଶ୍ୱର, କଳାହାଣ୍ଡି, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ଲକ୍ଷ ୫୦ ହଜାର ୮୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୪ ହଜାର ୮୪୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧ ଲକ୍ଷ ୧୫ହଜାର ୨୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୨୪ ଲକ୍ଷ ୨୩ ହଜାର ୧୨୪ ସାମ୍ପୁଲ ଟେଷ୍ଟ୍ ହୋଇଛି।
Comments are closed.