ଚାଷୀଙ୍କ ପୁଅ ହେଲେ ଜାପାନର ନୂଆ ପ୍ରଧାନମନ୍ତ୍ରୀ, ଏମିତି ଥିଲା ୟୋସିହିଦେ ସୁଗାଙ୍କ ଜୀବନ ସଂଘର୍ଷ

ଟୋକିଓ: ଜାପାନର ଶାସକ ଦଳର ନେତା ୟୋସିହିଦେ ସୁଗା ହେଲେ ଦେଶର ନୂଆ ପ୍ରଧାନମନ୍ତ୍ରୀ। ସେ ଦୀର୍ଘ ସମୟ ହେବ ସିଞ୍ଜୋ ଆବେଙ୍କ ସହଯୋଗୀ ଥିଲେ। ସେ ପୂର୍ବରୁ ସୁଗା ମୁଖ୍ୟ କ୍ୟାବିନେଟ୍ ପଦ ସମ୍ଭାଳି ଥିଲେ। ତାଙ୍କୁ ଗତ ସୋମବାର ଲିବରାଲ ଡେମୋକ୍ରେଟିକ୍ ପାର୍ଟିର ପ୍ରିମିୟର ଭାବେ ମନୋନୀତ କରାଯାଇଥିଲା। ଆଜି ସୁଗା ଦଳର ସଂସୀୟ ବୋର୍ଡରେ ପ୍ରଧାନମନ୍ତ୍ରୀ ପଦ ଭାବେ ନିର୍ବାଚିତ ହୋଇଛନ୍ତି। ଜାପାନର କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟି ସୋମବାର ସୁଗାଙ୍କୁ ନେତା ନିର୍ବାଚିତ କରିଛି। ଏଥିଲାଗି ଲିବରାଲ ଡେମୋକ୍ରାଟିକ ପାର୍ଟି ଓ କ୍ଷେତ୍ରିୟ ପ୍ରତିନିଧିଙ୍କ ନିର୍ବାଚନରେ ସୁଗା ବହୁମତରେ ବିଜୟୀ ହୋଇଛନ୍ତି। ତାଙ୍କୁ ମୋଟ ୪୬୨ଟିରୁ ୩୧୪ଟି ବୈଧ ଭୋଟ ମିଳିଛି।
୭୧ ବର୍ଷୀୟ ସୁଗା ପ୍ରଧାନମନ୍ତ୍ରୀ ହେବା ଏତେ ସହଜ ନଥିଲା। ତାଙ୍କ ସଂଘର୍ଷମୟ ଜୀବନକୁ ନେଇ ଜପାନରେ ଏବେ ରୋମାଞ୍ଚକ କାହାଣୀ ଶୁଣିବାକୁ ମିଳୁଛି। ଜାପାନର ଅକିତାରେ ସୁଗାଙ୍କ ଜନ୍ମ। ତାଙ୍କ ପିତା ଜଣେ ଷ୍ଟ୍ରବେରୀ ଚାଷୀ। ଆଇନ ପଢିବା ଲାଗି ସୁଗା ରାଜଧାନୀ ଟୋକିଓର ହୋସଇ ୟୁନିଭର୍ସିଟିକୁ ବାଛିଥିଲେ। କାରଣ ଉତ୍କଟ ଅର୍ଥାଭାବରେ ପାଠ ପଢା ଜାରି ରଖିବା ତାଙ୍କ ଲାଗି ସବୁଠୁ ବଡ ଆହ୍ୱାନ ଥିଲା। ରାଜଧାନୀରେ ଛୋଟମୋଟ କାମ ମିଳିଯିବାର ସମ୍ଭାବନାକୁ ଆଖିରେ ରଖି ସେ ଏଠାରେ ପାଠ ପଢିବା ଲାଗି ନିଷ୍ପତ୍ତି ନେଇଥିଲେ।
ପାଠ ପଢା ସହ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଏକ କାର୍ଡବୋର୍ଡ କାରଖାନାରେ ମଧ୍ୟ ସେ ଚାକିରି କରୁଥିଲେ। କେବେ କେବେ ମାଛ ହାଟରେ ତାଙ୍କୁ ଲୋକେ ମାଛ ବିକୁଥିବାର ଦେଖିଛନ୍ତି। ବିଶ୍ୱବିଦ୍ୟାଳୟରୁ ପାଠପଢା ଶେଷ ହେବା ପରେ ସେ ଅପର ହାଉସ୍ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ। ରାଜନୀତି ସହ ତାଙ୍କର ନା କୌଣସି ସମ୍ପର୍କ ଥିଲା ନା ଏକ୍ଷେତ୍ରରେ ଅଭିଜ୍ଞତା, ତଥାପି ସେ ନିର୍ବାଚନ ମୈଦାନରେ ନିଜକୁ ଓହ୍ଲାଇ ଦେଇଥିଲେ।
ଲୋକଙ୍କ ଘରକୁ ଘର ବୁଲି ସେ ନିଜ ଲାଗି ନିର୍ବାଚନ ପ୍ରଚାର କରିଥିଲେ। ଦେଶରେ ନିର୍ବାଚନ ଶେଷ ହେବା ବେଳକୁ ସେ ପ୍ରାୟ ୩୦ ହଜାର ଘରେ ପହଞ୍ଚି ପାରିଥିଲେ। ଜାପାନର ବ୍ୟସ୍ତତମ ଷ୍ଟେସନମାନଙ୍କରେ ଲୋକଙ୍କୁ ଭାଷଣା ଦେବାର ପ୍ରଥା ଦେଶରେ ସୁଗା ହିଁ ଆରମ୍ଭ କରିଥିଲେ। ତାଙ୍କର ପ୍ରଚାର ଶୈଳୀ ସେତେବେଳେ ଏତେ ଲୋକପ୍ରିୟ ହୋଇଥିଲା ଯେ ଆଜି ମଧ୍ୟ ଦେଶରେ ଅନେକ ନେତା ତାଙ୍କୁ ଅନୁକରଣ କରୁଛନ୍ତି। ଏହି ନିର୍ବାଚନ ଶେଷ ହେବା ବେଳକୁ ସୁଗାଙ୍କ ୬ ହଳ ଜୋତା ଛିଡିଯାଇଥିଲା। ହେଲେ ନିର୍ବାଚନ ତାଙ୍କୁ ଜଣେ ଟାଣୁଆ ନେତା ଭାବେ ଛିଡାକରିବାର ସହାୟକ ହୋଇଥିଲା।
ସୁଗା ଓ ବିଦାୟୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଏବେଙ୍କ ଭେଟ ୨୦୧୨ ମସିହାରେ ହୋଇଥିଲା। ସୁଗାଙ୍କ ରାଜନୈତିକ ବୋଧଶକ୍ତି ଯୋଗୁ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଡାହାଣ ହାତ ବୋଲି ଦେଶରେ କୁହାଯାଉଥିଲା। ଏବେ ସେ ଦେଶର ପ୍ରଧାନମନ୍ତ୍ରୀ। ଏଥିରେ ଦେଶବାସୀ ଏବେ ବେଶ ଖୁସ୍। ସିଞ୍ଜୋ ଏବେଙ୍କ ସ୍ଥାନରେ ଦେଶବସୀ ତାଙ୍କପରି ଜଣେ ନେତା ଚାହୁଁଥିଲେ। ଯାହା ଦଳ ଦେଶବାସୀଙ୍କୁ ଦେଇପାରିଥିବାରୁ ଆଶ୍ୱସ୍ତ ହୋଇଛି। ଏନେଇ ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
Comments are closed.