ଜିଓର ପୋଷ୍ଟପେଡ୍ ସେବା ଆରମ୍ଭ
![](https://www.odishalink.com/wp-content/uploads/2020/09/jio-1212.jpg)
ମୁମ୍ବାଇ: ଦେଶର ସବୁଠାରୁ ଧନୀ ମୁକେଶ ଅମ୍ବାନି ସ୍ମାର୍ଟଫୋନ୍ ବଜାରରେ ବଡ଼ ଧରଣର ବିପ୍ଳବ ଆଣିବା ଉପରେ କାର୍ଯ୍ୟ କରୁଛନ୍ତି। ଗୁଗୁଲ୍ ସହିତ ତାଙ୍କ ଟେଳିକମ୍ ସଂସ୍ଥା ଜିଓ ବୁଝାମଣା କରିଛି। ସୁଲଭ ମୂଲ୍ୟର ଫୋନ୍ ବିକଶିତ କରିବା ଉପରେ ମୁକେଶ କାର୍ଯ୍ୟ କରୁଛନ୍ତି। ଗୁଗୁଲ୍ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ଥିବା ଏହି ଫୋନ୍ର ଦାମ୍ ୪୦୦୦ ଟଙ୍କା ପାଖାପାଖି ରହିବ। ଆସନ୍ତା ଦୁଇ ବର୍ଷ ଭିତରେ ପ୍ରାୟ ୨୦ କୋଟି ଫୋନ୍ ତିଆରି କରିବାକୁ ସେ ଯୋଜନା ରଖିଛନ୍ତି। ସେଥିପାଇଁ ଦେଶ ଭିତରେ ସ୍ମାର୍ଟଫୋନ୍ ନିର୍ମାଣ କରୁଥିବା କେତେକ ସଂସ୍ଥା ସହ ଆଲୋଚନା କରି ସେମାନଙ୍କୁ ଫୋନ୍ ତିଆରି କରିବାର ବରାଦ ଦିଆଯାଇଛି। ଏହି ଫୋନ୍କୁ ଜିଓର ସୁଲଭ ମୂଲ୍ୟର ପ୍ଲାନ୍ ସହ ବିକ୍ରି କରାଯିବ। ଜିଓ ଜରିଆରେ ମୁକେଶ ଟେଲିକମ୍ ସେବାରେ ଯେଉଁଭଳି ପରିବର୍ତନ ଆଣିିଥିଲେ ଏବେ ସ୍ମାର୍ଟଫୋନ୍ କ୍ଷେତ୍ରରେ ସେଭଳି ବିପ୍ଳବ ଆଣିବାକୁ ଚାହୁଛନ୍ତି।
ଦେଶ ଭିତରେ ଫୋନ୍ ତିଆରି କରିବା ଲାଗି ସେ ଡିକ୍ସନ ଟେକ୍ନୋଲୋଜିସ୍ ଇଣ୍ଡିଆ, ଲାଭା ଇଣ୍ଟରନ୍ୟାସନାଲ୍ ଓ କାର୍ବନ ମୋବାଇଲସ୍ ସହ ଯୋଡ଼ି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଟେଲିକମ୍ ସେବାରେ ଜିଓର ପ୍ରତିଦ୍ବନ୍ଦ୍ବୀ ଭାରତୀ ଏୟାରଟେଲ୍ ମଧ୍ୟ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଯୋଜନା ଉପରେ କାର୍ଯ୍ୟ କରୁଛି। ଏୟାରଟେଲ୍ ମଧ୍ୟ କିଛି ସଂସ୍ଥା ସହ ଆଲୋଚନା ଆରମ୍ଭ କରିଛି। ଲକ୍ଡାଉନ୍ ସମୟରେ ମୁକେଶଙ୍କ କଂପାନି ଜିଓ ପ୍ଲାଟଫର୍ମସ୍ ଅନେକ ବିଶ୍ବସ୍ତରୀୟ ସଂସ୍ଥା ଯଥା ଫେସବୁକ୍, ଗୁଗୁଲ୍, ଇଣ୍ଟେଲ୍ ଆଦି ଠାରୁ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ ହାସଲ କରିଛି। ସେହି ପାଣ୍ଠିକୁ ଏବେ ବ୍ୟବସାୟ ସମ୍ପ୍ରସାରଣ ଦିଗରେ ବ୍ୟବହାର କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁଗୁଲ୍ ସହିତ ହୋଇଥିବା ବୁଝାମଣାର ଏକ ଅଂଶ ହେଉଛି ସୁଲଭ ସ୍ମାର୍ଟଫୋନ୍ ବିକଶିତ କରିବା। ଟେଲିକମ୍ ସେବା କ୍ଷେତ୍ରରେ ୪୦ କୋଟି ଗ୍ରାହକ ହାସଲ କରିବାରେ ସଫଳ ହୋଇଥିବା ଜିଓ ପକ୍ଷରୁ ଆଜି ପୋଷ୍ଟ୍ପେଡ୍ ସେବା ଆରମ୍ଭ କରାଯାଇଛି। କମ୍ପାନୀ ପକ୍ଷରୁ ୩୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା, ୯୯୯ ଟଙ୍କା ଏବଂ ୧୪୯୯ ଟଙ୍କିଆ ପ୍ଲାନ୍ ଘୋଷଣା କରାଯାଇଛି। ପ୍ରତିଟି ପ୍ଲାନ୍ରେ କଂପାନି ପକ୍ଷରୁ ଅସୀମିତ ଭଏସ୍ କଲ୍ ଓ ଏସ୍ଏମ୍ଏସ୍ ସେବା ଦିଆଯିବ। ଏହା ବ୍ୟତୀତ ନେଟ୍ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଓ ଡିଜ୍ନି ହଟ୍ଷ୍ଟାର୍ର ସବ୍ସ୍କ୍ରିପ୍ସନ୍ ମଧ୍ୟ ମିଳିବ। ଗ୍ରାହକମାନେ ନିଜ ପରିବାର ଲାଗି ମଧ୍ୟ ଫାମିଲି ପ୍ଲାନ୍ ନେଇପାରିବେ। ଯେକୌଣସି ପ୍ରକାର ଗ୍ରାହକ ନିଜ ନମ୍ବରକୁ ଜିଓ ପୋଷ୍ଟପେଡ୍ରେ ପରିଣତ କରିପାରିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି।
Comments are closed.