ଧର୍ଷଣ ମହାମାରୀ: ପୀଡ଼ିତାର ଜାତି-ଧର୍ମ ଓ ରାଜନୀତି
ଉତ୍ତରପ୍ରଦେଶର ହାଥରସରେ ଗୋଟିଏ ୧୯ ବର୍ଷର ନିରୀହ ବାଳିକାକୁ ଅତି ବିଭତ୍ସ ଭାବେ ଗଣଦୁଷ୍କର୍ମ କରିବା ପରେ ଅପରାଧୀମାନେ ତାଙ୍କର ମେରୁହାଡ଼ ଭାଙ୍ଗିଦେବା ଓ ଜିଭ କାଟିଦେବା ଭଳି ଅଭିଯୋଗ ଆସିଛି। ବିଚାରୀ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଜୀବନ ସହ ଜୁଝିବାରେ ବିଫଳ ହୋଇଛି। ୨୦୧୨ରେ ଦିଲ୍ଲୀରେ ଏମିତି ଏକ ବିଭତ୍ସ ଗଣଦୁଷ୍କର୍ମର ଘଟଣା ଭାରତ ମା’ର ଛାତି ଚିରି ଦେଇଥିଲା। ଭାରତରେ ଧର୍ଷଣ ଓ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ବଢ଼ି ଏକ ମହାମାରୀର ରୂପ ନେଇଥିବା ବେଳେ, ସଚେତନତା ବୃଦ୍ଧି ଓ ସାମାଜିକ ଗଣମାଧ୍ୟମର ପ୍ରଭାବ ହେତୁ କ୍ରମେ ଅଧିକରୁ ଅଧିକ ଏଭଳି ଘଟଣା ଲୋକଲୋଚନକୁ ଆସୁଛି। କେଉଁଠି ଶାସନକଳ ଓ ବାହୁବଳୀଙ୍କ ଛତ୍ରଛାୟାରେ ଅପରାଧୀ ଅଚିରେ ଖସିଯାଉଛି ତ କେଉଁଠି ବର୍ଷ ବର୍ଷର ଶୁଣାଣି ପରେ ଅପରାଧୀକୁ ଦଣ୍ଡ ମିଳୁଛି। କିନ୍ତୁ, ଏ ସବୁ ଧର୍ଷିତାକୁ ନ୍ୟାୟ ଦେଇ ପାରୁନାହିଁ।
ତେବେ ସବୁଠୁ ବଡ଼ ଆଉ ଆଶ୍ଚର୍ଯ୍ୟର କଥା ହେଲା, ଏଭଳି ନାରକୀୟ ଘଟଣାକୁ ନେଇ ରାଜନୀତି, ବୁଦ୍ଧିଜୀବୀଙ୍କ ମାନସମନ୍ଥନ ଓ ସାମାଜିକ-ଗଣମାଧ୍ୟମ-ଜ୍ଞାନୀଙ୍କ ମନ୍ତବ୍ୟରେ ଧର୍ଷକର ଆସୁରିକ ପ୍ରବୃତ୍ତି ଓ ଧର୍ଷିତାର ପୀଡ଼ା ଅପେକ୍ଷା ସେମାନଙ୍କ ଜାତି ଓ ଧର୍ମକୁ ଅଧିକ ଗୁରୁତ୍ବ ଦିଆଯାଉଛି। ବେଳେ ବେଳେ ଖବରଟିଏ ପଢ଼ିଲେ ବା ଶୁଣିଲେ ଲାଗୁଛି ସତେ ଯେମିତି ଧର୍ଷଣ ବେଳେ ନିର୍ଦ୍ଦିଷ୍ଟ ଜାତିର ବା ଧର୍ମର ଝିଅଟିଏକୁ ଅଧିକ କଷ୍ଟ ହୁଏ, ଅନ୍ୟ ଜାତିର ବା ଧର୍ମର ହୋଇଥିଲେ ଏତେ ସହିବାକୁ ପଡ଼ି ନ ଥା’ନ୍ତା। ସେହିପରି ଲାଗୁଛି, ସତେ ଯେମିତି ଅମୁକ ଧର୍ମର ବା ଅମୁକ ଜାତିର ଧର୍ଷକ ଅଧିକ ହିଂସ୍ର। ସମୁକ ଜାତି ବା ଧର୍ମର ହୋଇଥିଲେ ଏତେ ସରି କରି ନ ଥା’ନ୍ତେ। ଅପରାଧୀ ଯେଉଁ ଜାତିର ବା ଧର୍ମର ହେଉ ନା କାହିଁକି ତାହାର ଅପରାଧର ମାତ୍ରା ବା ଗୁରୁତ୍ବକୁ ଏହା ଆଦୌ ପ୍ରଭାବିତ କରିବ ନାହି’। ଅନୁରୂପ ଭାବେ ହିନ୍ଦୁ ଝିଅଟିଏ ଧର୍ଷିତା ହେଲେ ଯେଉଁ ପୀଡ଼ା ପାଇବ, ଯେଉଁ କୋହ ସାଉଁଟିବ ଆଉ ଯେତିକି ଲୁହ ଝରାଇବ, ଇସଲାମ, ଖ୍ରୀଷ୍ଟିଆନ୍ ବା ଶିଖ୍ ଝିଅଟିଏ ବି ସମାନ ପୀଡ଼ା ପାଇବ। ଦଳିତ ଝିଅକୁ ଅତ୍ୟାଚାର କଲେ ଯେଉଁ ପୀଡ଼ା ହୁଏ, ଅନ୍ୟ ଜାତିର ଝିଅଟିଏ ତାହା ଠାରୁ କିଛି କମ ପୀଡ଼ା ପାଏନି।
ଏବେ ହାଥରସ ଘଟଣାକୁ ଦଳିତ ଓ ଉଚ୍ଚବର୍ଗର ଲଢ଼େଇରେ ପରିଣତ କରିବାକୁ ଚେଷ୍ଟା ଚାଲିଛି। ଯଦି ଆମେ ଜାତି, ଧର୍ମ ଓ ଦଳକୁ ନେଇ ଦୁଷ୍କର୍ମ ଘଟଣାକୁ ତଉଲିବା ତେବେ ଆମକୁ ତଳ ତଥ୍ୟଗୁଡ଼ିକ ଚକିତ କରିବ।
ଜାତି
ନିକଟରେ ଜାତୀୟ ଅପରାଧ ନଥି ବ୍ୟୁରୋ (ଏନ୍ସିଆରବି) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଦେଶରେ ପ୍ରତିଦିନ ୮୮ ଜଣ ଯୁବତୀ ଧର୍ଷଣର ଶିକାର ହେଉଛନ୍ତି। ଜମ୍ମୁ ଓ ଲଦାଖର ତଥ୍ୟ ମିଶିଲେ ଏ ସଂଖ୍ୟା ଆହୁରି ଅଧିକ ହେବ। ଏହା ବାଦ ବହୁ ସଂଖ୍ୟାରେ ଯୁବତୀ ଏଭଳି ଅପରାଧ ବାବଦରେ ଭୟ, ଲାଜ ବା ଭିନ୍ନ କାରଣରୁ ଜଣାଇ ପାରୁନାହାନ୍ତି। ଏନ୍ସିଆର୍ବି ତଥ୍ୟ ଅନୁସାରେ ୨୦୧୯ରେ ଦେଶରେ ସମୁଦାୟ ୩୨,୦୩୩ ଜଣ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୧୧ ପ୍ରତିଶତ ହେଉଛନ୍ତି ଦଳିତ ସଂପ୍ରଦାୟର। ୟା ବୋଲି ଆମେ କ’ଣ କହିବା ଯେ ଦେଶରେ ୮୯ ପ୍ରତିଶତ ଦୁଷ୍କର୍ମ ପୀଡ଼ିତ ଉଚ୍ଚ ବର୍ଗର? ଦେଶରେ ସର୍ବାଧିକ ଧର୍ଷଣ ଦେଖିଥିବା ରାଜସ୍ଥାନରେ ଦଳିତ ପୀଡ଼ିତାଙ୍କ ସଂଖ୍ୟା ୯ ପ୍ରତିଶତ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ଉତ୍ତରପ୍ରଦେଶରେ ୧୮ ପ୍ରତିଶତ।
ଧର୍ମ
ଦୁଇବର୍ଷ ତଳେ ପୋଷ୍ଟକାର୍ଡ ନାମରେ ଏକ ‘ମିଛଖବର’ ପ୍ରସାରଣ ସଂସ୍ଥାର ପ୍ରତିଷ୍ଠାତା ମହେଶ ହେଗଡ଼େ ଟୁଇଟରରେ ଏକ ଛାତି ଥରାଇଦେବା ଭଳି ତଥ୍ୟ ଦେଲେ, ଯାହା ଅବଶ୍ୟ ପରେ ମିଛ ବୋଲି ଜଣାପଡ଼ିଲା। ସେ ଦେଇଥିବା ତଥ୍ୟ ଅନୁସାରେ ୨୦୧୬ରୁ ୨୦୧୮ ମସିହା ମଧ୍ୟରେ ଦେଶରେ ହୋଇଥିବା ଧର୍ଷଣର ୯୬ ପ୍ରତିଶତ କ୍ଷେତ୍ରରେ ଅପରାଧୀ ହେଉଛନ୍ତି ଇସଲାମ ଧର୍ମର। ଏବେ ମଧ୍ୟ ବହୁ ଦୁଷ୍କର୍ମ ଘଟଣାକୁ ଧର୍ମ ସହ ଯୋଡ଼ାଯାଉଛି। ସତ କଥା ହେଲା ଏନ୍ସିଆର୍ବି ତଥ୍ୟରେ ଧର୍ମ ଆଧାରରେ କୌଣସି ସୂଚନା ସ୍ପଷ୍ଟ କରା ଯାଇନାହିଁ। ତେବେ ବିଭିନ୍ନ ସାଂପ୍ରଦାୟିକ ଦଙ୍ଗା ସମୟରେ ଅପର ଧର୍ମର ମହିଳାଙ୍କୁ ଧର୍ଷଣ କରିବାର ଅଭିଯୋଗ ସାମନାକୁ ଆସିଥିଲା। ଶେଷ ଥର ୨୦୧୩ ମୁଜାଫରନଗର ଦଙ୍ଗାରେ ୧୩ଟି ଦୁଷ୍କର୍ମ ମାମଲା ହୋଇଥିଲା।
ଦଳ
ସେହିପରି ଧର୍ଷଣ ମାମଲାକୁ ନେଇ ରାଜନୈତିକ ଦଳମାନେ ପରସ୍ପରର ଅପାରଗତା ବଖାଣୁଥିବା ବେଳେ, ଅସଲରେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଶାସନରେ ରହିଲେ ଯେ ଦୁଷ୍କର୍ମ ବଢ଼ିଯାଉଛି ଏ ବିଚାର ମଧ୍ୟ ଭ୍ରମାତ୍ମକ। ଏନ୍ସିଆର୍ବି ତଥ୍ୟ ଅନୁସାରେ ୨୦୧୯ରେ ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ସର୍ବାଧିକ ଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ରାଜସ୍ଥାନରେ ପ୍ରାୟ ୬,୦୦୦ ମହିଳା ଦୁଷ୍କର୍ମ ଶିକାର ହୋଇଥିବା ବେଳେ ଉତ୍ତରପ୍ରଦେଶରେ ଏ ସଂଖ୍ୟା ୩,୧୦୦। ଏହା ପଛକୁ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କେରଳ ରହିଛି। ରାଜସ୍ଥାନରେ କଂଗ୍ରେସ ଶାସନରେ ଥିବା ବେଳେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ବିଜେପି ଶାସନରେ ରହିଛି (ସେତେବେଳେ କଂଗ୍ରେସ୍ ଥିଲା।)। ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ ଶାସନ ଗାଦିରେ ଥିବା ବେଳେ କେରଳରେ ବାମପନ୍ଥୀ ମେଣ୍ଟ ଶାସନରେ ଅଛନ୍ତି। ଅବଶ୍ୟ କିଛି ମାମଲାରେ ଏହି ସବୁ ସ୍ଥାନରେ ସରକାରରେ ଥିବା ପ୍ରଭାବୀମାନେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାର ଉଦାହରଣ ମଧ୍ୟ କିଛି ରହିଛି।
ଏଣୁ ଅନ୍ତତଃ ଦୁଷ୍କର୍ମ ଘଟଣାକୁ ଜାତି ଧର୍ମର ରାଜନୀତି ସହ ନ ଯୋଡ଼ି ଏହାକୁ କେବଳ ଏକ ମାନବୀୟ ଦୃଷ୍ଟିକୋଣରୁ ବିଚାର କରିବା ଉଚିତ ବୋଲି ଏ ଲେଖକର ମନେହୁଏ। ଜାତି ଧର୍ମ ରାଜନୀତିରୁ ଅଧିକ ବିଚଳିତ କରିଦେବା ଭଳି ତଥ୍ୟ ଧର୍ଷଣ ପରିସଂଖ୍ୟାନରେ ରହିଛି। ତଳେ ଏଭଳି କିଛି ତଥ୍ୟର ଝଲକ ରଖୁଛି, ଟିକେ ଆଖିପକାନ୍ତୁ ଓ ଚିନ୍ତା କରନ୍ତୁ।
୨୦୧୮ ମସିହାରେ ଦେଶରେ ୩୩,୩୫୬ଟି ଧର୍ଷଣ ମାମଲା ସାମନାକୁ ଆସିଥିଲା। ପୀଡ଼ିତାଙ୍କ ମଧ୍ୟରେ ଥିଲେ ପ୍ରାୟ ୧୦,୦୦୦ ଶିଶୁ-କିଶୋରୀ। ସବୁଠୁ ଚମକେଇଦେବା ଭଳି କଥା ହେଉଛି ଆନ୍ଧ୍ରପ୍ରଦେଶ, ହିମାଚଳପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ ଓ କେରଳରେ ପୀଡ଼ିତାଙ୍କ ମଧ୍ୟରେ ଶିଶୁ-କିଶୋରୀଙ୍କ ସଂଖ୍ୟା ବୟଃପ୍ରାପ୍ତ ମହିଳାଙ୍କ ଠାରୁ ଢେର ଅଧିକ। ସେ ବର୍ଷ ଓଡ଼ିଶାରେ ୯୮୧ଟି ଧର୍ଷଣ ମାମଲା ରୁଜୁ ହୋଇଥିବା ବେଳେ ପୀଡ଼ିତାଙ୍କ ମଧ୍ୟରେ ଥିଲେ ୩୭ ଜଣ ଶିଶୁ-କିଶୋର।
ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଦୁଷ୍କର୍ମ ମାମଲା ୪୪% ବୃଦ୍ଧି ପାଇଛି। ଏନ୍ସିଆର୍ବି ତଥ୍ୟ ଅନୁସାରେ ୨୦୧୦ରୁ ୨୦୧୯ ମଧ୍ୟରେ ଦେଶରେ ୩ ଲକ୍ଷ ୧୩ ହଜାର ୨୮୯ ଜଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ୨୦୧୦ରେ ଏ ସଂଖ୍ୟା ୨୨ ହଜାର ଥିବାବେଳେ ୨୦୧୯ରେ ୩୨,୦୦୦ରୁ ଅଧିକ ହୋଇଛି।
ଏନ୍ସିଆର୍ବି ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୮ରେ ୯୮୧ ଜଣ ଓ ୨୦୧୯ରେ ୧,୩୮୩ ଜଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଓଡ଼ିଶା ସରକାର ଦେଇଥିବା ଶ୍ବେତପତ୍ରରେ ଏ ସଂଖ୍ୟା ଯଥେଷ୍ଟ ଅଧିକ। ସରକାରଙ୍କ ଶ୍ବେତପତ୍ର ହିସାବରେ କେବଳ ୨୦୧୮ରେ ରାଜ୍ୟରେ ୨୫୦୨ଟି ଦୁଷ୍କର୍ମ ମାମଲା ହୋଇଛି।
ଦୁଷ୍କର୍ମ ଏବେ ଦେଶରେ ଆଉ ଏକ ମହାମାରୀ ଭାବେ ଠିଆ ହେଲାଣି। ସଂଖ୍ୟା କମିଲା କି ବଢ଼ିଲା, କେଉଁ ଧର୍ମର ଲୋକ କେତେ ପରିମାଣରେ ଦୁଷ୍କର୍ମ କଲେ ବା କେଉଁ ଜାତି କେତେ ପୀଡ଼ିତ ସେ ବାବଦରେ ରାଜନୀତି କରିବାର ସମୟ ୟେ ନୁହେଁ। ସୁଶାନ୍ତ ଆତ୍ମହତ୍ୟା, ବଲିଉଡରେ ନିଶା, ସୀମାରେ ହିଂସା ଓ ପ୍ରଧାନମନ୍ତ୍ରୀଙ୍କ ମୟୂର ପ୍ରେମକୁ ନେଇ ଯେଭଳି ଗଣମାଧ୍ୟମ, ସାମଜିକ ଗଣମାଧ୍ୟମ ଓ ବୁଦ୍ଧିଜୀବୀ ମହଲରେ ଦିନ ଦିନ ମାସ ମାସ ଧରି ତର୍କ ବିତର୍କ ଚାଲିଛି, ଏବେ ଦୁଷ୍କର୍ମ ଘଟଣାକୁ ତହିଁରୁ ଅଧିକ ଗୁରୁତ୍ବ ଦେଇ ଆଲୋଚନା କରିବାର ସମୟ ଆସିଛି। ଏ କ୍ଷେତ୍ରରେ ସରକାର ବାହାଦୂରମାନେ ପ୍ରଥମେ ଆଗେଇ ଆସିବା ଉଚିତ ବୋଲି ଏ ଲେଖକ ମନେକରେ।
Comments are closed.