ମହାନିଦ୍ରାରେ ମହାରଥୀ
ଭୁବନେଶ୍ବର: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପିପିଲ ବିଧାୟକ ପ୍ରଦୀପ ମହାରଥୀ। କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଥିବା ପ୍ରଦୀପଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ।
ପିପିଲି ବିଧାନସଭା ଆସନରୁ ୭ ଥର ବିଧାୟକ ରହି ଆସିଥିବା ପ୍ରଦୀପ ନବୀନ ସରକାରରେ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ୧୯୮୫ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରଦୀପ ୨୦୧୧ ମସିହାରେ ପ୍ରଥମ ଥର ପାଇଁ କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ନବୀନଙ୍କ ଚତୁର୍ଥ ପାଳିରେ କୃଷି ସହ ମତ୍ସ୍ୟ ଓ ପଶୁ ସମ୍ପଦ, ପଞ୍ଚାୟତିରାଜ ବିଭାଗର ଦାୟିତ୍ୱ ତୁଲାଇଥିଲେ ପ୍ରଦୀପ। ନବୀନଙ୍କ ଗୁଡବୁକରେ ରହିଥିବା ପ୍ରଦୀପ ୨୦୧୯ରେ ବିପୁଳ ଭୋଟରେ ବିଜୟ ସହ ସପ୍ତମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଭିନ୍ନ ଏକ ଅନ୍ଦାଜ ଓ ଯାତ୍ରା ଶୈଳୀରେ ଡାଇଲଗ ପାଇଁ ବେଶ ଲୋକପ୍ରିୟ ଥିଲେ ପ୍ରଦୀପ।
ପୂର୍ବରୁ ପ୍ରଦୀପଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପରିବାର ଲୋକଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଦୀପଙ୍କ ଆଶୁ ଆରୋଗ୍ୟ କାମନା ସହ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସହ କଥା ହୋଇଥିଲେ ନବୀନ।
Comments are closed.