ଅବକାରୀ ମନ୍ତ୍ରୀଙ୍କ ବାସଭବନ ଆଗରେ ନିଶାନିବାରଣ ଅଭିଯାନ ସଦସ୍ୟଙ୍କ ବିକ୍ଷୋଭ

ଭୁବନେଶ୍ବର : ଷ୍ଟାଣ୍ଡିଂ କମିଟିର ସୁପାରିଶକୁ ବିରୋଧ କରି ଅବକାରୀ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଆଗରେ ମିଳିତ ନିଶା ନିବାରଣ ଅଭିଯାନ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ତୁରନ୍ତ ଏହି ଅଧିନିୟମକୁ ପ୍ରତ୍ୟାହାର କରିବା ପାଇଁ ଦାବି ପତ୍ର ଦିଆଯାଇଛି । ପୁଲିସ ମନ୍ତ୍ରୀଙ୍କ ବାସଭବନ ଆଗରୁ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି । ଚଳିତ ବର୍ଷ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକ ପାଳନ ସରକାରୀ ଓ ବେସରକାରୀ ସ୍ତରରେ କରାଯାଉଛି । ହେଲେ ମଦ ବ୍ୟବସାୟକୁ ପ୍ରୋତ୍ସାହନ ଗାନ୍ଧିଜୀଙ୍କ ନୀତିର ଉପହାସ ବୋଲି ବିକ୍ଷୋଭକାରୀ କହିଛନ୍ତି ।
ଗୋଟିଏ ପଟେ ମଦ ବେପାରୀଙ୍କୁ ରାଜ୍ୟ ସରକାରଙ୍କ ପୁରସ୍କାର ନେଇ ବିବାଦ ତୀବ୍ର ହୋଇଥିବା ବେଳେ ଜାତୀୟ ସ୍ତରରେ ସାମ୍ନାକୁ ଆସିଛି । ଦେଶରେ ମଦ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ୨୦୧୧ରୁ ୨୦୫୦ ଭିତରେ ଦେଶରେ ୨୫୮ ମିଲିୟନ ଲୋକ କେବଳ ମଦ ଯୋଗୁଁ ପ୍ରାଣ ହରାଇବେ ବୋଲି ଏକ ଆକଳନ କରାଯାଇଛି । ଏହା ଦେଶର ଜିଡିପି ବା ଅଭିବୃଦ୍ଧି ହାରର ୧.୪୫ ପ୍ରତିଶତକୁ ପ୍ରଭାବିତ କରିବ ବୋଲି କୁହାଯାଇଛି ।
ଜନସ୍ୱାସ୍ଥ୍ୟ ସଂପର୍କରେ ଅନୁଧ୍ୟାନ କରୁଥିବା ଏକ ଡାକ୍ତରୀ ସଂଘ ତରଫରୁ ଏମିତି ଏକ ରିପୋର୍ଟ ଇଂଟରନେସନାଲ ଜର୍ଣ୍ଣାଲ ଅଫ ଡ୍ରଗ ପିଲିସିରେ ପ୍ରକାଶ ପାଇଛି । ୨୦୫୦ ବେଳକୁ ହାରହାରି ଆୟୁଷ ୭୫ ଦିନ କମିଯିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଆଗାମୀ ଦିନରେ ମଦ ସହ ଯକୃତ ଜନିତ ରୋଗ, କ୍ୟାନସର ଓ ରାସ୍ତା ଦୁର୍ଘଟଣା ଅଧିକ ଜୀବନ ନେଉଥିବ ବୋଲି ସର୍ଭେ କହିଛି । ଦେଶରେ ମଦ ପିଉଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସାଧାରଣ ଆୟୁଷ କମିବ ବୋଲି ଏଥିରେ ଉଦବେଗ ପ୍ରକାଶ ପାଇଛି ।
Comments are closed.