ବର୍ଷକରେ ୩୬ ଲକ୍ଷ ବଢ଼ିଛି ପିଏମ୍ ମୋଦୀଙ୍କ ସମ୍ପତ୍ତି, କ୍ଷତିରେ ଅମିତ ଶାହ
ନୂଆଦିଲ୍ଲୀ: ଗତବର୍ଷ ତୁଳନାରେ ଚଳିତ ବର୍ଷ ବଢ଼ିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି। ,ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ରେ ଦାଖଲ ହୋଇଥିବା ସମ୍ପତ୍ତି ଘୋଷଣାନାମାରୁ ଜଣାପଡ଼ିଛି। ଗତବର୍ଷ ତୁଳନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସମ୍ପତ୍ତିର ମୂଲ୍ୟ ୩୬ ଲକ୍ଷ ବୃଦ୍ଧି ପାଇଛି ଅର୍ଥାତ୍ ୨୬ ପ୍ରତିଶତ। ପ୍ରଧାନମନ୍ତ୍ରୀ ଜୁନ ୩୦ ପର୍ଯ୍ୟନ୍ତ ନିଜ ସମ୍ପତ୍ତିର ତଥ୍ୟ ଘୋଷଣା କରିଛନ୍ତି। ଚଳିତ ବର୍ଷ ଜୁନ ୩୦ ସୁଦ୍ଧା ମୋଦଙ୍କ ସମ୍ପତ୍ତି ୨.୮୫ କୋଟି ରହିଛି। ଗତବର୍ଷ ମୋଦୀଙ୍କ ସମ୍ପତ୍ତି ୨.୪୯ କୋଟି ଥିଲା। ଏପରି ସମୟରେ ଯେତେବେଳେ ଅର୍ଥବ୍ୟବସ୍ଥାର ଅବସ୍ଥା ଖରାପ ରହିଛି ଏବଂ ସେୟାର ବଜାରରେ ମଧ୍ୟ ଉତ୍ଥାନ, ପତନ ଲାଗିରହଛି, ସେତେବେଳେ ମୋଦିଙ୍କର ସମ୍ପତ୍ତି ବଢିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ସେ ବ୍ୟାଙ୍କରେ ଜମା କରିଥିବା ଟଙ୍କାର ସୁଧ ୩.୩ ଲକ୍ଷ ଟଙ୍କା ଏବଂ ପୁଞ୍ଜି ନିବେଶର ରିଟର୍ଣ୍ଣ ବାବଦରେ ମିଳିଥିବା ୩୩ ଲକ୍ଷ ଟଙ୍କା ମିଶି ମୋଦୀଙ୍କର ଏ ବର୍ଷ ସମ୍ପତ୍ତି ମୂଲ୍ୟ ବୃଦ୍ଧି ହୋଇଛି। ଅପରପକ୍ଷେ ଚଳିତବର୍ଷ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ପତ୍ତି କମିଛି। ସେୟାର ବଜାରରେ ଉତ୍ଥାନ ପତନ ପାଇଁ ତାଙ୍କୁ ବିପୁଳ କ୍ଷତି ସହିବାକୁ ପଡିଛି।
ତେବେ ୨୦୨୦ ଜୁନ ମାସ ପର୍ଯ୍ୟନ୍ତ ମୋଦୀଙ୍କ ନିକଟରେ ନଗଦ ୩୧, ୪୫୦ ଟଙ୍କା ଥିଲା। ଏସବିଆଇ ଗାନ୍ଧୀନଗର ଏନଏସସି ଶାଖାରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ୩, ୩୮,୧୭୩ ଟଙ୍କା ରହିଥିଲା। ଏଥିସହ ସେହି ସମାନ ବ୍ୟାଙ୍କରେ ୧ କୋଟି ୬୦ ଲକ୍ଷ ୨୮ ହଜାର ୯୩୯ ଟଙ୍କାର ଏଫଡିଆର ଓ ଏମଓଡି ଆକାଉଣ୍ଟ ଥିବା ଜଣାପଡିଛି। ତେବେ ଏହାକୁ ଛାଡି ମୋଦୀ ଡାକ ବିଭାଗରେ ଏନଏସସିରେ ୮ ଲକ୍ଷ ୪୩ ହଜାର ୧୨୪ ଟଙ୍କା ଜମା ରଖିଛନ୍ତି। ମୋଦୀ ଜୀବନ ବୀମା ପଲିସିରେ ୧ ଲକ୍ଷ ୫୦ ହଜାର ୯୫୭ ଟଙ୍କା ଜମା କରିଛନ୍ତି। ସେହିପରି ୨୦ ହଜାର ଟଙ୍କାର ଟିକସ ସଞ୍ଚୟ ଇନଫ୍ରାବଣ୍ଡ ମୋଦୀଙ୍କ ପାଖରେ ରହିଛି।
ମୋଦୀଙ୍କ ଘୋଷଣାନାମାରେ ଏକଥା ବି ଉଲ୍ଲେଖ କରାଯାଇଛି ଯେ ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀଙ୍କ ସମେତ ୪ ଜଣଙ୍କ ନାମରେ ୩,୫୩୧ ବର୍ଗ ଫୁଟ୍ର ଏକ ପ୍ଲଟ୍ ଅଛି। ଏଥିରେ ସମସ୍ତଙ୍କର ୨୫ ପ୍ରତିଶତ ଭାଗ ରହିଛି। ଘୋଷଣାନାମାରେ ମୋଦୀଙ୍କ ନାମରେ କୌଣସି ବ୍ୟକ୍ତିଗତ ଯାନବାହାନ ଥିବା ଉଲ୍ଲେଖ କରାଯାଇ ନାହିଁ।
ଅପରପକ୍ଷେ ସେୟାର ବଜାରରେ ବାରମ୍ବାର ଉତ୍ଥାନ ପତନ ପାଇଁ ଅମିତ ଶାହଙ୍କର କ୍ଷତି ହୋଇଛି। ଜୁନ ୨୦୨୦ ପର୍ଯ୍ୟନ୍ତ ଅମିତ ଶାହଙ୍କ ସମ୍ପତ୍ତି ୨୮.୬୩ କୋଟି ରହିଛି। ଗତ ବର୍ଷ ବିଜେପି ଅଧ୍ୟକ୍ଷ ଭାବରେ ନିଜର ସମ୍ପତ୍ତିର ଘୋଷଣା କରିଥିଲେ। ସେତେବେଳେ ତାଙ୍କର ୩୨.୩କୋଟି ଟଙ୍କା ରହିଥିବା ଘୋଷଣା କରିଥିଲେ।
Comments are closed.