ରୋଗୀଙ୍କୁ ଶୁଆଇ ରାସ୍ତାରୋକ କଲେ ଗ୍ରାମବାସୀ
କଟକ: ବାଙ୍କୀ-ବୈଦେଶ୍ୱର ମୁଖ୍ୟ ରାସ୍ତାର ବୋତଲମା ନିକଟରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସା ସୁବିଧା ପାଇ ନ ପାରି ଯନ୍ତ୍ରଣାରେ ଛଟପଟ ହେଉଥିବା ଅସହାୟ ନବ ଦେହୁରୀଙ୍କ କଷ୍ଟ ସହି ନ ପାରି ଗ୍ରାମବାସୀ ଚରମ ପଦକ୍ଷେପ ନେଇଛନ୍ତି। ଶେଷରେ ଗାଁ ଲୋକେ ତାଙ୍କୁ ରାସ୍ତା ମଝିରେ ଶୁଆଇ ରାସ୍ତା ଅବରୋଧ କରିଛନ୍ତି।
ସକାଳ ୭ଟାରୁ ଗ୍ରାମବାସୀ ନବଙ୍କୁ ରାସ୍ତା ଉପରେ ଶୁଆଇ ଦେଇଥିବା ବେଳେ ପୂର୍ବାହ୍ନ ୧୦ଟା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ତାଙ୍କ ପାଖରେ ପହଞ୍ଚି ନ ଥିବା ଜଣାଯାଇଛି। ଅପରପକ୍ଷେ ଉକ୍ତ ରାସ୍ତାରେ ନବଙ୍କ ପାର୍ଶ୍ୱ ଦେଇ ଏକ ଆମ୍ବୁଲାନ୍ସ ଯାଇଥିଲେ ମଧ୍ୟ ତାଙ୍କୁ ମେଡିକାଲ ନ ନେବାରୁ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ସୂଚନାଯୋଗ୍ୟ ଯେ, ନବ ଦେହୁରୀଙ୍କର ନିଜର ବୋଲି କେହି ନ ଥିବା ବେଳେ ସେ ରାଉରକେଲାରେ କାମ କରି ଚଳୁଥିଲେ। ହେଲେ ଗୋଡ଼ରେ ଘା’ ହୋଇଥିବା ବେଳେ ନ ଶୁଖିବାରୁ ସେ ଗାଁକୁ ପଳାଇ ଆସିଲେ। ଏହାପରେ ଚିକିତ୍ସା ପାଇଁ କଟକରେ ଆଡମିଟ ହୋଇଥିଲେ। ସେଠାରୁ ଗାଁକୁ ଫେରିବା ପରେ ବହୁ ଗୁହାରୀ ପରେ ବାଙ୍କି ମେଡିକାଲରୁ ଜଣେ କର୍ମଚାରୀ ଥରେ ଆସି ତାଙ୍କ ଡ୍ରେସିଂ କରିଥିଲେ। ମାତ୍ର ଏହାପରେ ଚିକିତ୍ସା ଅଭାବରୁ ତାଙ୍କ ଗୋଡ଼ ପଚିବାକୁ ବସିଲାଣି।
Comments are closed.