ପରଲୋକରେ ଅନ୍ୟତମ ସାଲବେଗ ଭିକାରୀ ମହମ୍ମଦ

ନୟାଗଡ଼: ଜୀବନ ଯୁଦ୍ଧରେ ହାରିଗଲେ ଓଡ଼ିଶାର ଅନ୍ୟତମ ସାଲେବଗ ଭିକାରୀ ମହମ୍ମଦ। କିଛି ଦିନ ହେବ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ଗୁରୁବାର ସକାଳୁ ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ତାଙ୍କର ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଜାତିରେ ମୁସଲମାନ୍ ହେଲେ ସେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ। ଜୀବନସାରା ତୁଣ୍ଡରେ ତାଙ୍କର ଜଗନ୍ନାଥ ଭଜନ ଓ ଜଣାଣ। ଏଭଳିକି ତାଙ୍କୁ ଅନ୍ୟତମ ସାଲବେଗର ଆଖ୍ୟା ଦେଇଛନ୍ତି ଓଡ଼ିଶାବାସୀ। ସେଥିପାଇଁ ଓଡ଼ିଶାରେ ତାଙ୍କର ସୃଷ୍ଟି ହୋଇଛି ସ୍ବତନ୍ତ୍ର ପରିଚୟ।
ଦଶମ ଶ୍ରେଣୀ ପାସ୍ କଲା ପରେ ସେ ସଙ୍ଗୀତ ସାଧନା କରି ଖଣ୍ଡପଡ଼ା ରାଜ ଦରବାର ରେ ସଙ୍ଗୀତ ପରିବେଷଣ କରୁଥିଲେ। ରାଜା ହରିହର ସିଂ ମର୍ଦ୍ଦରାଜଙ୍କର ଦେହାନ୍ତ ପରେ ଆଉ ଦରବାର ବସିଲା ନାହିଁ। ପରେ ଭିକାରୀ ଚାକିରି କରିଥିଲେ ମଧ୍ୟ ସେ ଚାକିରି ଛାଡ଼ି ଦେଇଥିଲେ। ପୁରାତନ ରଚନା ତଥା ସାଲବେଗଙ୍କ ଭଜନକୁ ସୁନ୍ଦର ଭାବେ ପରିବେଷଣ କରୁଥିବାରୁ ପୁରୀ ଗଜପତିଙ୍କ ପାଖରୁ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି। ସ୍ବର୍ଗତ ଅକ୍ଷୟ ମହାନ୍ତି, ସିକନ୍ଦର ଅଲାମ୍ , ପ୍ରଫୁଲ କର, ଭିକାରୀ ବଳ ପ୍ରମୁଖ କଣ୍ଠଶିଳ୍ପୀ ମାନେ ତାଙ୍କୁ ବିଭିନ୍ନ ମଞ୍ଚରେ ଜଗନ୍ନାଥ ଭଜନ ପରିବେଷଣ କରିବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ସେ ଓଡ଼ିଶା ସଙ୍ଗୀତ ଏକାଡ଼େମି, ସାହିତ୍ୟ ଏକାଡ଼େମି, ରୁଚି ପ୍ରତିଭା ସନମାନ, ଭଳି ଅନେକ ସନମାନର ଅଧିକାରୀ ହୋଇଛନ୍ତି।
ଭିକାରି ମହମ୍ମଦ ଜଗନ୍ନାଥ ଭଜନ ଗାଉଥିବା ସମୟରେ ଭାବ ବିହୋଳ ହୋଇ କାନ୍ଦି ପକାନ୍ତି ବୋଲି ତାଙ୍କର ସହ କଳାକାର ମାନେ କୁହନ୍ତି। କେବେ ସେ ପଇସା ମଧ୍ୟ ଦାବି କରିନାହାନ୍ତି। ଯିଏ ଯାହା ଖୁସିରେ ଦେଲା ସେତିକିରେ ସେ ଖୁସି। ଯଦିଓ ସେ ମୁସଲ୍ମାନ, କିନ୍ତୁ ସବୁବେଳେ ମନ୍ଦିର ଭିତରେ ରହିବାକୁ ସେ ଭଲ ପାଆନ୍ତି। ଓଡ଼ିଶା ତଥା ଓଡ଼ିଶା ବାହାରେ ମଧ୍ୟ ସେ ଜଗନ୍ନାଥ ଭଜନ ପରିବେଷଣ କରିଛନ୍ତି। ରଥଯାତ୍ରା ସମୟରେ ସେ ସବୁବର୍ଷ ପୁରୀ ଯାଇ ଜଗନ୍ନାଥ ଭଜନ ପରିବେଷଣ କରନ୍ତି। ତେଣୁ, ତାଙ୍କୁ ଦ୍ବିତୀୟ ସାଲବେଗ ବୋଲି କୁହାଯାଏ। ତେବେ, ଦୁଖ ଏତିକି, ରାଜ୍ୟ ସରକାର ଆଜିପର୍ଯ୍ୟନ୍ତ ତାଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ଦେଇନାହାନ୍ତି। କେବଳ କଳାକାର ଭତ୍ତା ଭିତରେ ସେ ସୀମିତ ଅଛନ୍ତି। ଘର ଖଣ୍ଡିଏ ପାଇଁ ଭିକାରୀ ମହମ୍ମଦ ଖଣ୍ଡପଡ଼ଶ ଏନ୍ଏସିରେ ବାରମ୍ବାର ଦାବି କରିଥିଲେ ମଧ୍ୟ ତାଙ୍କୁ ଏବେ ସୁଦ୍ଧା ଘର ଖଣ୍ଡିଏ ମିଳିପାରି ନାହିଁ।
ନାମ ଭିକାରୀ ମହମ୍ମଦ ହେଲା କାହିଁକି?
୭୬ ବର୍ଷ ବୟସରେ ଜଗନ୍ନାଥଙ୍କର ଭଜନ ଗାଉଛନ୍ତି। ୫୦ ବର୍ଷ ହେବ ସେ କେବଳ ଜଗନ୍ନାଥଙ୍କର ଭଜନ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗାଇ ଆସୁଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗଡ଼ରେ ତାଙ୍କର ଘର। ଦୁଇ ଭଉଣୀ ଜନ୍ମ ହେବା ପରେ ତାଙ୍କ ମା ଦ୍ବିତୀୟ ଓଷାକରି ଜଗନ୍ନାଥଙ୍କ ପାଖରେ ପୁଅଟିଏ ଭିକ ମାଗିଥିଲେ। ଭିକାରୀ ଜନ୍ମ ହେବା ପରେ ତାଙ୍କ ମା, ନାମ ରଖିଥିଲେ ଭିକାରି ଓ ମୁସଲ୍ମାନ ସମ୍ପ୍ରଦାୟର ହୋଇଥିବାରୁ ଭଗବାନଙ୍କ ନାମ ମହମ୍ମଦ ରଖିଥିଲେ। ପରେ ଭିକାରୀ ମହମ୍ମଦ ନାମରେ ସେ ପରିଚିତ ହେଲେ।
Comments are closed.