ଆଶା ଦେଲା ‘ଫାଇଜର୍’, କୋଭିଡ୍-୧୯ ଟିକା ୯୦% ଫଳପ୍ରଦ ସାବ୍ୟସ୍ତ

ନୂଆଦିଲ୍ଲୀ: ‘ଫାଇଜର୍’ ଏବଂ ‘ବାୟୋଏନ୍ଟେକ୍’ଦ୍ବାରା ମିଳିତଭାବେ ବିକଶିତ ଟିକା କୋଭିଡ୍-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୦% ଫଳପ୍ରଦ ହୋଇଥିବା କଥା ସମ୍ପ୍ରତି ଚାଲିଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଛି। ସୋମବାର ଦିନ ଉଭୟ କମ୍ପାନି ଏ କଥା ଘୋଷଣା କରିଛନ୍ତି।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଦୁଇ ଡୋଜ୍ ଟିକାର ଦ୍ବିତୀୟଟି ନେବାର ସାତ ଦିନ ପରେ ଏବଂ ପ୍ରଥମଟି ନେବାର ୨୮ ଦିନ ପରେ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଆସିଯାଇଥିଲା।
ଫାଇଜର୍ ଅଧ୍ୟକ୍ଷ ତଥା ସିଇଓ ଆଲବର୍ଟ ବୋର୍ଲା ଏକ ବିବୃତିରେ କହିଛନ୍ତି, ତୃତୀୟ ପର୍ଯ୍ୟାୟ ପରୀକ୍ଷାର ପ୍ରଥମ ସେଟ୍ ଫଳାଫଳ କୋଭିଡ୍-୧୯ ପ୍ରତିରୋଧ କରିବାରେ ଆମ ଟିକାର ସାମର୍ଥ୍ୟ ଥିବା କଥା ପ୍ରତିପାଦିତ କରୁଛି।
ଏହି ବିଶ୍ବ ସ୍ବାସ୍ଥ୍ୟ ସଙ୍କଟର ପରିସମାପ୍ତିରେ ସହାୟତା ନିମନ୍ତେ ବିଶ୍ବବାସୀଙ୍କୁ ଏକ ଅତ୍ୟାବଶ୍ୟକ ଉଦ୍ଭାବନ ଯୋଗାଇ ଦେବା ଲାଗି ଆମେ ଗୁରୁତ୍ବପୂର୍ଣ୍ଣ ସୋପାନ ଅତିକ୍ରମ କରିଛୁ।
Comments are closed.