ସୁପ୍ରିମ କୋର୍ଟରେ ଏମିତି ଯୁକ୍ତିକଲେ ଅର୍ଣବଙ୍କ ଓକିଲ

ନୂଆଦିଲ୍ଲୀ: ଏକ ଆତ୍ମହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ରିପବ୍ଲିକ୍ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀଙ୍କୁ ଆଜି ସୁପ୍ରିମ କୋର୍ଟରେ ଅନ୍ତରୀଣ ଜାମିନ ମିଳିଛି। ତେବେ ତାଙ୍କ ଜାମିନ ପାଇଁ ଆଜି ବେଶ୍ ବଳିଷ୍ଠ ଯୁକ୍ତି ରଖିଥିଲେ ତାଙ୍କ ଓକିଲ ହରିଶ ସାଲ୍ଭେ। ଏପରିକି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗିରଫ ହେବେ କି ବୋଲି ସେ ପ୍ରଶ୍ନ କରିଥିଲେ।
ହରିଶ ଯୁକ୍ତି କରିଥିଲେ, “ଗତ ମାସରେ ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ଦରମା ଦେବାରେ ବିଫଳ ହେବାରୁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରେ ଉଲ୍ଳେଖ କରିଥିଲେ। ତେବେ କ’ଣ କରିବା? ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା କି?”
ହରିଶ ପୁଣି କହିଥିଲେ ଯେ ତିନି ବର୍ଷର ଗୋଟିଏ ପୁରୁଣା ମାମଲା ଜଣଙ୍କୁ ଗିରଫ କରି ଦିପାବଳି ଛୁଟିବେଳେ ଜେଲରେ ପୂରାଇବା ଏବଂ ପରେ ତାଙ୍କୁ ଅନ୍ୟ ଅପରାଧୀଙ୍କ ସହ ତାଲୋଜା ଜେଲକୁ ପଠାଇବା କେତେ ଯୁକ୍ତିଯୁକ୍ତ? ସେ କହିଥିଲେ ଯେ ମହାରାଷ୍ଟ୍ରରେ କ’ଣ ଚାଲିଛି ତାହା କାହାରିକୁ ଅଛପା ନାହିଁ। ଅର୍ଣବଙ୍କୁ ପାନେ ଦେବା ପାଇଁ ଏ ସବୁର ଭିଆଣ ବୋଲି ଅଭିଯୋଗ କରିଥିଲେ ସାଲ୍ଭେ। ଜଣେ ଲୋକଙ୍କୁ ଅନ୍ତରୀଣ ଜାମିନ ଦେଲେ ଆକାଶ ଛିଡ଼ିପଡ଼ିବ କି ବୋଲି ସାଲଭେ ପଚାରିଥିଲେ।
ଜାମିନ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ବ୍ୟକ୍ତି ସ୍ବାଧୀନତା ରକ୍ଷା କରାଯିବା ଉଚିତ। ଯଦି ରାଜ୍ୟ ସରକାର କୌଣସି ବ୍ୟକ୍ତିଙ୍କୁ ହଇରାଣ କରେ ତାଙ୍କୁ ରକ୍ଷା କରିବା ପାଇଁ ସୁପ୍ରିମ କୋର୍ଟ ଅଛି।
ବେଞ୍ଚ୍ ସଦସ୍ୟ ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂନଙ୍କ ଆଜି ଜନ୍ମଦିନ ଥିବା ବେଳେ ସେ ଏହାକୁ ଶ୍ରେଷ୍ଠ ଦିନ ଭାବେ ଅଭିହିତ କରିଛନ୍ତି। ଯଦି କୋର୍ଟ ଆଜି ଏ ମାମଲାରେ ମୁଣ୍ଡ ନ ପୂରାଏ ତେବେ ଆମେ ଧ୍ବଂସର ରାସ୍ତାରେ ଗତି କରୁଛେ ବୋଲି ନ୍ୟାୟାଧୀଶ ଚନ୍ଦ୍ରଚୂଡ଼ କହିଛନ୍ତି।
Comments are closed.