Odisha Link
Bridging the Missing Links in Odisha

ଜଳକ୍ରୀଡ଼ା ହେଲା କାଳ, ଲିଭିଗଲା ୩ ପରିବାରର କୁଳପ୍ରଦୀପ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ୫ଜଣ କଲେଜ ପଢ଼ୁଆ ଛାତ୍ର ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତର କାଠସଙ୍ଗଡ଼ା ଘାଟକୁ ବୁଲିବାକୁ ଆସି ନଦୀଜଳରେ ଗାଧୋଇବାର ମଜା ଉଠାଉଥିବା ବେଳେ ଅଚାନକ ୩ ଜଣଙ୍କ ସାଙ୍ଗ ବୁଡ଼ିଯିବା ଏବଂ ପ‌ରେ ସେମାନଙ୍କ ସଲିଳ ସମାଧି ଉଦ୍ଧାର ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାଁଁନ୍ତି ଗାଁ ଲୋକେ। କାନ୍ଦବୋବାଳିରେ ଗାଁଟା ସିନା ଫାଟି ପଡ଼ୁଛି, କାହାରି ମୁହଁରେ ଭାଷା ନାହିଁ ଏହି ଦୁଃଖଦ ଘଟଣାକୁ ବର୍ଣ୍ଣନା କରିବାକୁ। ଛାତି ଫାଟିଯିବା ଭଳି ଏହି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ନୀଳଗିରି ଏନ୍‌ଏସି ଅନ୍ତର୍ଗତ କଦମସାହି ଗାଁରେ।

ଗତକାଲି ନଦୀରେ ବୁଡ଼ି ପ୍ରାଣ ହରାଇଥିବା ସଚ୍ଚୀନ୍ଦ୍ର ପତିଙ୍କ ପୁଅ ଅଙ୍କିତ, ବିଜୁ ନାୟକଙ୍କ ପୁଅ ପୀୟୁଷ ଏବଂ ମୁକ୍ତିକାନ୍ତ ମିଶ୍ରଙ୍କ ପୁଅ ମୃତ୍ୟୁଞ୍ଜୟ। ପିଲାଦିନରୁ ୩ ଜଣ ଗୋଟିଏ ସ୍କୁଲରେ ପାଠ ପଢ଼ୁଥିଲେ, ଖେଳୁଥିଲେ ଓ ବୁଲୁଥିଲେ ଆଉ ଏବେ ଘର ପରିବାର ଛାଡ଼ି ଚିରଦିନ ପାଇଁ ସେମାନେ ଚାଲିଗଲେ ଅଫେରା ରାଇଜକୁ। ଗାଁ ଶ୍ମଶାନରେ ଆଜି ପୀୟୁଷ ଏବଂ ମୃତ୍ୟୁଞ୍ଜୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଅଙ୍କିତଙ୍କ ମରଶରୀରକୁ ତାଙ୍କ ପୈତୃକ ଗ୍ରାମ ସୁଦୁର ମୟୁରଭଞ୍ଜ ଜିଲ୍ଲା କୁଆମରାକୁ ନିଆଯାଇଥିବା ଜଣାପଡ଼ିଛି।

ଦ୍ବି-ପ୍ରହର ସମୟରେ ନଦୀ ଭିତରେ ଆଣ୍ଠୁଏ ଗଭୀରର ପାଣି। ଅଙ୍କିତ, ପୀୟୁଷ, ମୃତ୍ୟୁଞ୍ଜୟ ଏବଂ ଜ୍ୟୋତିର୍ମୟ ନଦୀ ଭିତରକୁ ଯାଇ ପରସ୍ପର ଜଳକ୍ରୀଡ଼ା କରିବା ସହ ଗାଧୋଇବାର ମଜା ଉଠାଉଥିଲେ। ଆଉ କୂଳରେ ରହି ସେମାନଙ୍କର ଏହି ଅଭୁଲା ସ୍ମୃତିକୁ ସାଇତି ରଖିବା ପାଇଁ ମୋବାଇଲରେ ଭିଡିଓ କରୁଥିଲେ ସାଙ୍ଗ ରଂଜନ। ହେଲେ କିଏ ଜାଣିଥିଲା ପାଣି ଭିତରେ ଏହି ଖେଳ କିଛି ଦୂରରେ ସେମାନଙ୍କ ପାଇଁ କାଳ ସାଜି ଜଗି ବସିଥିବ ବୋଲି।

ଅଙ୍କିତ, ପୀୟୁଷ, ମୃତ୍ୟୁଞ୍ଜୟ ଏବଂ ଜ୍ୟୋତିର୍ମୟ ଧୀରେ ଧୀରେ ପଛକୁ ପଛକୁ ଯାଇ ହଠାତ ୧୦ ଫୁଟ ଦୂରରେ ଥିବା ଅକାତକାତ ଗଣ୍ଡ ଭିତରେ ଫସିଯାଇଥିଲେ। ରଂଜନ ଭିଡିଓ ସୁଟ୍‌ ବନ୍ଦ କରି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଖପାଖର ଲୋକଙ୍କ ଡାକ ପକାଇବା ସହ ନିଜେ ସାଙ୍ଗମାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ।

ଜ୍ୟୋତିର୍ମୟ ନିଜ ପ୍ରାଣ ବଞ୍ଚାଇ କୂଳକୁ ଫେରିଆସିଥିବା ବେଳେ ଅନ୍ୟ ୩ ସାଙ୍ଗଙ୍କୁ ଚିରଦିନ ପାଇଁ ସେ ହରାଇଲେ। ବୁଢ଼ାବଳଙ୍ଗ ନଦୀର ରେମୁଣାସ୍ଥିତ ତ୍ରିବେଣୀଘାଟରେ ଗତକାଲି ଗାଧୋଇବାକୁ ଯାଇଥିବା ନୀଳଗିରି ଅଞ୍ଚଳର ୫ ଛାତ୍ରଙ୍କ ମଧ୍ୟରୁ ୩ ଛାତ୍ରଙ୍କ ସଳିଳ ସମାଧି ହୋଇଥିବା ବେଳେ ୨ ଛାତ୍ର ମୃତ୍ୟୁ ମୁଖରୁ ଫେରିଛନ୍ତି।

ଘଟଣା ପୂର୍ବରୁ ଛାତ୍ର ରଂଜନ ସଲଙ୍କ ମୋବାଇଲରେ କଏଦ ହୋଇଥିବା କିଛି ଏପରି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହି ମୁହୂର୍ତ୍ତରେ ସେମାନଙ୍କ ଭିତରେ ଘଟିଯାଇଥିବା ଏହି ଦୃଶ୍ୟ ଏବଂ ତା’ ପରର କିଛି ଦୃଶ୍ୟ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି।

Comments are closed.