“ଓଡ଼ିଆ ଅସ୍ମିତାର ଆଦର୍ଶ ପୁରୁଷ କପିଳେନ୍ଦ୍ର ଦେବ”
ପୁରୀ: “ସେ ଥିଲେ ଓଡ଼ିଆ ଅସ୍ମିତାର ଆଦର୍ଶ ପୁରୁଷ। ଓଡ଼ିଶା ଓ ଓଡ଼ିଆ ଭାଷାକୁ ନୂଆ ପରିଚୟ ଦେଇଥିଲେ ଗଜପତି କପିଳେନ୍ଦ୍ର ଦେବ। ଆଜକୁ ୬ ଶହ ବର୍ଷ ତଳେ ଓଡ଼ିଶା ମହାରାଜ୍ୟ ପ୍ରତିଷ୍ଠ କରିଥିବା ସୂର୍ଯ୍ୟବଂଶୀ ବୀର କପିଳେନ୍ଦ୍ର ସର୍ବେଶ୍ରେଷ୍ଠ ହିନ୍ଦୁ ରାଜା ଥିଲେ। ଅସଲ ଅର୍ଥରେ ସେ ହିଁ ଥିଳେ ଓଡ଼ିଶା ଓ ଓଡ଼ିଆଙ୍କ ସର୍ବଶ୍ରେଷ୍ଠ ନାୟକ।”
ସ୍ଥାନୀୟ କପିଳେଶ୍ବରପୁର ଶାସନରେ କପିଳେନ୍ଦ୍ର ଦେବଙ୍କ ନାମରେ ସ୍ଥାପିତ ପାଠାଗାର ଉଦ୍ଘାଟନ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏଭଳି କହିଛନ୍ତି ଲେଖକ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା। କପିଳେନ୍ଦ୍ର ଦେବଙ୍କ ଜୀବନ ଚରିତକୁ ନେଇ ଏକ ବିଶାଳ ଉପନ୍ୟାସ ରଚନା କରୁଥିବା ଶ୍ରୀ ପଣ୍ଡା କହିଛନ୍ତି ଯେ କପିଳେନ୍ଦ୍ର ଦେବଙ୍କୁ ନେଇ ଯେଉଁ କାଶିଆ-କପିଳା କାହାଣୀ ଅଥବା ତାଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳିବା ଅଥବ ଶ୍ରୀମନ୍ଦିରରେ ତାଙ୍କୁ ଭାନୁଦେବଙ୍କ ରାଣୀ ଭେଟିବା ଭଳି କହାଣୀ ରହିଛି ସେ ସବୁର କୌଣସି ଆଧାର ନାହିଁ। କପିଳେନ୍ଦ୍ର ଦେବଙ୍କୁ ସାମାନ୍ୟ ଗାଇଚରାଳି କରି ଦେଖାଇବା ଓ ସେ କିଭଳି ଦୈବୀ ସଂଯୋଗରେ ରାଜା ହେଲେ ସେ ବାଦରେ ଲିଖିତ ମାଦଳା ପାଞ୍ଜି ଓ ଜନଶ୍ରୁତିରେ ଥିବା କାହାଣୀ ସମ୍ପୂର୍ଣ୍ଣ ମିଥ୍ୟା। କପିଳେନ୍ଦ୍ରଙ୍କର ଜେଜେ (ତାଙ୍କ ନାମ ମଧ୍ୟ କପିଳେଶ୍ବର) ଗଙ୍ଗବଂଶୀ ସେନାବାହିନୀରେ ନାୟକ ଥିଲେ। ସ୍ବୟଂ କପିଳେନ୍ଦ୍ର ଦେବ ମଧ୍ୟ ସେନାବାହିନୀର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଥିଲେ। ଜଣେ ସେନା ଅଧକାରୀଙ୍କ ନାତି, ଯିଏ ନିଜେ ବ ସେନା ଅଧିକାରୀ ସେ ଏତେ ଗରିବ ନୁହନ୍ତି ଯେ ତାଙ୍କୁ କାଶୀ ମିଶ୍ରଙ୍କ ଗାଇ ଚରାଇବାକୁ ପଡ଼ିବ ବୋଲି ସନ୍ଦେହ ପ୍ରକଟ କରିଛନ୍ତି ଶୁଭ୍ରାଂଶୁ ପଣ୍ଡା।
କପିଳେନ୍ଦ୍ର ଯେଉଁ କାରଣରୁ ଓଡ଼ିଆଙ୍କର ଚିରଦିନ ମନେରହିବେ ଓ ଆମ ଅସ୍ମିତାର ମହାନାୟକ ହୋଇ ପୂଜିତ ହେବେ ତାହା ହେଉଛି ଓଡ଼ିଶା ଓ ଓଡ଼ିଆ ଭାଷା ପ୍ରତି ତାଙ୍କର ପ୍ରୀତି। ଶ୍ରୀ ପଣ୍ଡା କହିଛନ୍ତି ଯେ କପିଳେନ୍ଦ୍ର ହିଁ ପ୍ରଥମ ରାଜା ଯିଏ ୧୪୩୪ ମସିହା ଜୁନ ୨୯ ତାରିଖରେ ସିଂହାସନ ଆରୋହଣ କରିବା ପରେ ଘୋଷଣା କରିଥିଲେ- ଓଡ଼ିଶା ହେଉଛି ରାଷ୍ଟ୍ର, ଓଡ଼ିଆ ହେଉଛି ରାଷ୍ଟ୍ରଭାଷା ଓ ଜଗନ୍ନାଥ ହେଉଛନ୍ତି ରାଷ୍ଟ୍ରଦେବତା। କେବଳ ସେତିକି ନୁହେଁ କପିଳେନ୍ଦ୍ର ଜଗନ୍ନାଥଙ୍କୁ ଏ ରାଷ୍ଟ୍ରର ରାଜା ଘୋଷଣା କରିବା ସହ ନିଜକୁ ତାଙ୍କର ରାଉତ ବା ସେବକ ବୋଲାଇଥିଲେ। ସେହି କାରଣୁ ସେ ତତ୍କାଳୀନ ପ୍ରଜାଙ୍କର ହୃଦୟ ଜୟ କରିପାରିଥିଲେ। ଲକ୍ଷ କରିବାର କଥା କପିଳେନ୍ଦ୍ର ଦେବ ଓଡ଼ିଶାରେ ଗୋଟିଏ ବି ଦୁର୍ଗ ଗଢ଼ିନାହାନ୍ତି, କାରଣ ସେ ଭାବୁଥିଲେ ଦୁର୍ଗ ରାଜାଙ୍କର ଆବଶ୍ୟକ। ରାଜାଙ୍କ ସୁରକ୍ଷା ପାଇଁ ସେ ମେଘନାଦ ପ୍ରାଚୀର ଓ କୁର୍ମବେଢ଼ା ଗଢ଼ାଇଥିଲେ। ଯଦିଓ ବଙ୍ଗରେ ଓ ଦାକ୍ଷିଣାତ୍ୟରେ ସେ ଅନେକ ଦୁର୍ଗ ଗଢ଼ାଇଥିଲେ ଓ ଜୟ କରିଥିଲେ। ସେ ସମୟରେ ଯାହା ଅଧୀନରେ ଯେତେ ଦୁର୍ଗ ସେ ସେତେ ବଡ଼ ରାଜା ଭାବେ ପରିଚିତି ପାଉଥିଲେ। ଭାରତରେ ସେତେବେଳେ କପିଳେନ୍ଦ୍ର ଦେବଙ୍କ ଅଧିନରେ ସର୍ବାଧିକ ୪୪ଟି ଦୁର୍ଗ ଥିଲା ବୋଲି ଶୁଭ୍ରାଂଶୁ ପଣ୍ଡା ନିଜ ବକ୍ତବ୍ୟରେ କହିଛନ୍ତି। ଗୋଟିଏ ପଟେ ସମୁଦ୍ର ଓ ଅନ୍ୟଦିଗରେ ତାଙ୍କୁ ୫ ଜଣ ସୁଲତାନ ଘେରି ରହିଥିବା ବେଳେ ସେ ନିଜର ମହାରାଜ୍ୟ ଗଙ୍ଗା ଠାରୁ କାବେରୀ, ଏପରିକି ଏକ ସମୟରେ ରାମେଶ୍ବରମ୍ ପର୍ଯ୍ୟନ୍ତ ବ୍ୟାପ୍ତ କରାଇ ନିଜକୁ ଅସଲରେ ଶ୍ରେଷ୍ଠ ହିନ୍ଦୁରାଜାର ଆସନରେ ଅଧିଷ୍ଠିତ କରିପାରିଥିଲେ।
ବିଶିଷ୍ଠ ଭାରତ-ଇତିହାସ୍ ପଣ୍ଡିତ (Indologist) ହରମାନ୍ କୁଲ୍କେ ଯଥାର୍ଥରେ ତାଙ୍କ ଭାରତ ଇତିହାସ ବହିରେ ଉଲ୍ଲେଖ କରିଛନ୍ତି ଯେ, କପିଳେନ୍ଦ୍ର ଦେବ ହେଉଛନ୍ତି ସର୍ବଶ୍ରେଷ୍ଠ ହିନ୍ଦୁ ରାଜା। ତାହାଙ୍କର ଦୁଇ ଶହ ବର୍ଷ ପରେ ଆସିଥିବା ଶିବାଜୀ ରାଜନୈତିକ ପୃଷ୍ଠପୋଷକତା ହେତୁ ଯେଭଳି ସମ୍ମାନ ଓ ଶ୍ରଦ୍ଧା ପାଉଛନ୍ତି ତାହା କପିଳେନ୍ଦ୍ର ଦେବଙ୍କୁ କାଣିଚାଏ ମିଳିନାହିଁ ବୋଲି କ୍ଷୋଭପ୍ରକାଶ କରିଛନ୍ତି ଶ୍ରୀ ପଣ୍ଡା। ମରାଠାମାନେ ମରାଠା ଭୂଇଁ ବ୍ୟତୀତ ଅନ୍ୟ ଅଞ୍ଚଳରେ କିଭଳି ଅତ୍ୟାଚାର କରିଛନ୍ତି ତାହା ସର୍ବଜନବିଦିତ। ଏପରିକି ଓଡ଼ିଶାରେ ମରହଟ୍ଟା ବର୍ଗୀଙ୍କର ଅତ୍ୟାଚାର କିଭଳି ଥିଲା ତାହା ତୁଣ୍ଡରେ ଧରିହେବନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ତେବେ କପିଳେନ୍ଦ୍ର ଦେବ ବା ତାଙ୍କ ପରବର୍ତ୍ତୀ ଗଜପତି ରାଜାମାନେ ବଙ୍ଗ ଠାରୁ ବିଜୟନଗର ଯାଏଁ କେଉଁଠି ବି କୁଶାସନ କରିଥିବାର କାଣିଚାଏ ପ୍ରମାଣ ନାହିଁ। ଗଜପତିମାନଙ୍କ ବିଷୟରେ ସର୍ବଶ୍ରେଷ୍ଠ ଲେଖା ଦକ୍ଷିଣ ଭାରତରେ ଲେଖାଯାଇଛି। କପିଳେନ୍ଦ୍ର ଦେବଙ୍କ ଉଦ୍ଦାରତା, ପ୍ରଜାବତ୍ସଳ ଭାବ ଓ ନିଜକୁ ସେବକ ଭାବେ ଚିତ୍ରଣ କରିବାର ସରଳତା ଅସଲ ଅର୍ଥରେ ତାଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ରାଟର ଆଖ୍ୟା ଦେଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ନିଜ ଉପନ୍ୟାସ ବାବଦରେ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ଉପନ୍ୟାସ ଲେଖିବା ପାଇଁ ସେ ଦୁଇବର୍ଷ ଧରି ଉଦ୍ୟମ ଚଳାଇଛନ୍ତି। ଆମେରିକା ଠାରୁ ଭୁବନେଶ୍ବର ଯାଏଁ ବିଭିନ୍ନ ପୁସ୍ତକ, ଗବେଷଣା ସନ୍ଦର୍ଭ ଓ ଆଲେଖ ଆଦିରେ ସେ କପିଳେନ୍ଦ୍ର ଦେବଙ୍କ ବାଦରେ ବହୁ ସୂଚନା ପାଇଛନ୍ତି। ସେ ସବୁକୁ ଗୋଟିଏ ମାଳାରେ ଗୁନ୍ଥି ତାହାକୁ ଓଡ଼ିଆ ଜାତିର ବେକରେ ଗଳାଇ ଦେଲେ ଓଡ଼ିଆ ଜାତିର ସୌନ୍ଦର୍ଯ୍ୟ ଓ ଗୌରବ ବହୁଗୁଣିତ ହେବ ବୋଲି ଶ୍ରୀ ପଣ୍ଡା ଆଶାବ୍ୟକ୍ତ କରିଛନ୍ତି।
କପିଳେନ୍ଦ୍ର ଦେବଙ୍କ ଜନ୍ମସ୍ଥାନ କେଉଁଠାରେ ବୋଲି ନିର୍ଦ୍ଦିଷ୍ଟ ପ୍ରମାଣ ମିଳି ନଥିବା ବେଳେ ତାହା ପୁରୀ ଆଖପାଖ ଅଞ୍ଚଳରେ ହୋଇପାରେ ବୋଲି ଅନୁମାନ କରାଯାଏ। ତେବେ କପିଳେନ୍ଦ୍ର ଦେବଙ୍କ ପ୍ରତିଷ୍ଠିତ ପ୍ରଥମ ଗ୍ରାମ କପିଳେଶ୍ବରପୁରରେ ଥିବା ଐତିହାସିକ ସନ୍ତକ ଓ ଲୋକକଥା ଆଧାରରେ ଏଠାରେ ତାଙ୍କର ଜନ୍ମ ହୋଇଥିବା ଦାବି କରନ୍ତି ସ୍ଥାନୀୟ ଜନତା।
Comments are closed.