ନୂଆ ଖବରକାଗଜ ‘ସକାଳ’ର ମାଲିକ କିଏ, ଜାଣନ୍ତୁ

ଭୁବନେଶ୍ବର: ଆଜି ଠାରୁ ପୁଣି ଥରେ ନୂଆ ରୂପରେ ଆତ୍ମପ୍ରକାଶ କରିଛି ଦୈନିକ ଖବରକାଗଜ ‘ସକାଳ’। ନଭେମ୍ବର ୩୦ ଓ ଡିସେମ୍ବର ୧ ସନ୍ଧିକ୍ଷଣରେ ମଧ୍ୟରାତ୍ରିରେ ଉନ୍ମୋଚିତ ହୋଇଛି ନୂଆ ‘ସକାଳ’ର ପହିଲି ସଂଖ୍ୟା। ଏହା ପୂର୍ବରୁ ପ୍ରକାଶ ପାଉଥିଲେ ବି ଆଜି ଠାରୁ ନୂଆ ରୂପରେ ଆଧୁନିକ ଥାଟବାଟ ସହ ପାଠକଙ୍କ ପାଖରେ ପହଞ୍ଚିଛି। ଆଜିର ସଂଖ୍ୟାଟିରେ ୧୮ ବର୍ଷ ଓ ୧୪୬ ସଂଖ୍ୟା ବୋଲି ଉଲ୍ଲେଖ ରହିଛି।
ତେବେ ଏ କାଗଜର ମାଲିକାନା କାହା ହାତରେ ରହିଛି ଏ ନେଇ ସାଧାରଣରେ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି। ପିଆଇବିର ପୂର୍ବତନ ମହାନିର୍ଦ୍ଦେଶକ ଡ. ଉମାକାନ୍ତ ମିଶ୍ର ସକାଳର ସଂପାଦକ ଥିବା ବେଳେ ଏହାର ସିଇଓ ଅଛନ୍ତି ସୁବ୍ରତ ଦାସ। ଅମିତ କୁମାର ମଲ୍ଲିକ ପ୍ରକାଶକ ଦାୟିତ୍ବ ନିର୍ବାହ କରୁଥିବା ବେଳେ ସକାଳର ଏହାର ବାର୍ତ୍ତା ସଂପାଦକ ଅଛନ୍ତି ସମରେନ୍ଦୁ ଦାସ।
ତେବେ ଏହାର ମାଲିକାନା ଦୁଇଜଣ ପ୍ରଭାବଶାଳୀ ବ୍ୟବସାୟୀଙ୍କ ହାତରେ ରହିଛି। ସେମାନେ ପୂର୍ବରୁ ନନ୍ଦିଘୋଷ ଟିଭିର ମାଲିକ ରହି ଆସିଛନ୍ତି। ପ୍ରାୟ ଏକ ସମୟରେ ଭିନ୍ନ ଭିନ୍ନ ଦୁଇଟି ଘରୋଇ କମ୍ପାନୀ ପଞ୍ଜିକୃତ ହୋଇ ଗୋଟିଏ ନନ୍ଦିଘୋଷ ଟିଭି ପରିଚାଳନା କରୁଥିବା ବେଳେ ଅନ୍ୟଟି ସକାଳ ଖବରକାଗଜ ପରିଚାଳନା କରୁଛି। ମେ ୧୮, ୨୦୨୦ରେ ନନ୍ଦିଘୋଷ ଟିଭି ପ୍ରାଇଭେଟ୍ ଲିମିଟେଡ୍ ପଞ୍ଜିକୃତ ହୋଇଥିବା ବେଳେ ଏହା ଅଧିନରେ ରହିଛି ରାଜ୍ୟର ଏକ ପ୍ରମୁଖ ଖବର ଚାନେଲ ନନ୍ଦିଘୋଷ ଟିଭି। ଅନୁରୂପ ଭାବେ ଜୁନ୍ ୧୬, ୨୦୨୦ରେ ସକାଳ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ପଞ୍ଜିକୃତ ହୋଇଥିବା ବେଳେ ଏହା ଅଧିନରେ ‘ସକାଳ’ ଦୈନିକ ଖବରକାଗଜର ପରିଚାଳନା ଭାର ରହିଛି।
ଉଭୟ କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ସୁଶାନ୍ତ କୁମାର ରାଉତ ଓ ସଂଜୀବ କୁମାର ମଲ୍ଲିକ। ଏମାନଙ୍କ ମଧ୍ୟରୁ ସଂଜୀବ ମଲ୍ଲିକ ହେଉଛନ୍ତି ବିଜୁ ଜନତା ଦଳର ସଦସ୍ୟ ଓ ନିର୍ବାଚିତ ପ୍ରତିନିଧି। ତାଙ୍କ ବାପା ତଥା ସମାଜବାଦୀ ନେତା ହୃଦାନନ୍ଦ ମଲ୍ଲିକ ୧୯୮୩ରେ ପ୍ରଥମେ ‘ସକାଳ’ ଖବରକାଗଜ ଆରମ୍ଭ କରିଥିଲେ। ପରେ ସଂଜୀବଙ୍କ ବଡ଼ଭାଇ ତଥା ସେତେବଳର ବିଧାୟକ ମାନସ କୁମାର ମଲ୍ଲିକ ଏହି କାଗଜ ପ୍ରକାଶ କରୁଥିଲେ। ୨୦୧୨ ମସିହାରେ ମାନସଙ୍କର ମୃତ୍ୟୁ ହୋଇଥିଲା। ଦୀର୍ଘଦିନ ବନ୍ଦ ରହିବା ପରେ ‘ସକାଳ’ର ମାଲିକାନା ସ୍ବତ୍ବରେ ପରିବର୍ତ୍ତନ ଅଣାଯାଇ ଏହା ପୁଣି ଥରେ ଆତ୍ମପ୍ରକାଶ କରିଛି।
ସଂଜୀବ କେବଳ ନନ୍ଦିଘୋଷ ଓ ସକାଳ, ଏହି ଦୁଇ କମ୍ପାନୀର ନିର୍ଦ୍ଦେଶକ ଥିବା ବେଳେ ସୁଶାନ୍ତ ରାଉତ ୫ଟି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି। ନନ୍ଦିଘୋଷ ଓ ସକାଳ ଭିନ୍ନ ଶ୍ରୀ ରାଉତ ଓଡ଼ିଶାରେ ଏସ୍ଏସ୍ଡି ଇନ୍ଫ୍ରାପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍, ଓମ୍ ଅମ୍ରିତ୍ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ତେଲେଙ୍ଗାନାରେ ସରାଉଣ୍ଡ ସାଉଣ୍ଡ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ର ମଧ୍ୟ ନିର୍ଦ୍ଦେଶକ ଅଛନ୍ତି। ପୂର୍ବରୁ ସେ ଆଦିଲକ୍ଷ୍ମୀ ଇଣ୍ଟରନାସନାଲ ଲିମିଟେଡର ମଧ୍ୟ ନିର୍ଦ୍ଦେଶକ ଥିଲେ।
Comments are closed.