ଜବତ ହେଲା ହାତୀ ଦାନ୍ତ ଓ ହରିଣ ଶିଙ୍ଗ

ଯାଜପୁର: ଯାଜପୁର ରୋଡ୍ ଥାନା ଭିକିପୁର ନିକଟ ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ହାତୀ ଦାନ୍ତ, ୫ଟି ହରିଣ ଶିଙ୍ଗ ଓ ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅବନ ବିଭାଗ ଜବତ କରିଛି। ଏହା ସହିତ ଏହି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି।
ପ୍ରକାଶ ଯେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରୁ ହାତୀ ଦାନ୍ତ ଓ ହରିଣ ଶିଙ୍ଗ ଯାଜପୁର ଜିଲ୍ଲାକୁ ଚାଲାଣ କରାଯାଇଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଏନେଇ ଅନୁସନ୍ଧାନ କରିବାରୁ ଭିକିପୁର ନିକଟ ସଂରକ୍ଷିତ ଜଙ୍ଗଲରେ ଏସବୁ କାରବାର ହେଉଥିବା ସୂଚନା ପାଇଥିଲା ବନ ବିଭାଗ।
ଯାଜପୁର ରୋଡ୍ ରେଞ୍ଜର ସଦଳବଳେ ଉକ୍ତ ସ୍ଥାନରେ ଚଢାଉ କରି ୫ଗୋଟି ହରିଣ ଶିଙ୍ଗ, ଗୋଟିଏ ହାତୀ କଳଦାନ୍ତ ଓ ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅ ଜବତ କରିଛନ୍ତି । ଚଢାଉ ବେଳେ ଘଟଣାସ୍ଥଳରୁ ୨ ଜଣ ଅଭିଯୁକ୍ତ ବନ କର୍ମଚାରୀଙ୍କ ହାତରେ ଧରାପଡିଥିବା ବେଳେ ଅନ୍ୟ ୨ ମୁଖ୍ୟ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯାଜପୁର ରୋଡ୍ ଏବଂ ଅନ୍ୟ ଜଣେ ବାଲେଶ୍ବର ଅଞ୍ଚଳର ବୋଲି ଜଣାପଡିଛି। ଏହି କାରବାରରେ କୌଣସି ଏକ ରାକେଟ୍ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଇଛି । ଏହାକୁ ଠାବ କରିବା ପାଇଁ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
Comments are closed.