ଜେଲରେ ପ୍ରଦୀପ ପାଣିଗ୍ରାହୀ, ରଙ୍ଗେଇଲୁଣ୍ଡାରେ ଲାଗିଛି ନୂଆବର୍ଷ ବ୍ୟାନର

ଗୋପାଳପୁର: ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ ଜେଲ୍ରେ ଥିବା ବେଳେ ମଧ୍ୟ ତାଙ୍କ ସମର୍ଥକ ଏବେ ବି ସକ୍ରିୟ ଥିବା ଜଣାପଡିଛି। ବିଶେଷ କରି ଗୋପାଳପୁର ନିର୍ବାଚନମଣ୍ଡଳୀରେ ପ୍ରଦୀପଙ୍କ ସମର୍ଥକ ସକ୍ରିୟ ହୋଇ ଉଠିଛନ୍ତି। ଏଭଳି ସ୍ଥିତିରେ ନୂଆ ବର୍ଷରେ ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପ୍ରଦୀପଙ୍କ ନବବର୍ଷ ଶୁଭେଚ୍ଛା ବ୍ୟାନର୍ ଟଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି।
ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗରିଫ ହୋଇ ଜେଲ୍ରେ ଅଛନ୍ତି। ଏହା ପରଠାରୁ ପ୍ରଦୀପ ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇ ଉଠିଥିଲେ। ବିଧାୟକଙ୍କ ନୂତନ ବର୍ଷ ଅଭିନନ୍ଦନ ବାର୍ତ୍ତା ଲେଖାଯାଇ ବ୍ୟାନର୍ କିଏ ଟାଙ୍ଗିଲା, ସେନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପ୍ରକୃତରେ ପ୍ରଦୀପ ସମର୍ଥକଙ୍କ କାମ ନା ପ୍ରଦୀପ ବିରୋଧୀ ଗୋଷ୍ଠୀର ତାହା ସ୍ପଷ୍ଟ ହୋଇନାହିଁ। ଅଭିନନ୍ଦନ ବାର୍ତ୍ତା ବ୍ଲକ୍ ପରିସରରେ ଲାଗିଥିଲେ ହେଁ ବ୍ଲକ୍ ପ୍ରଶାସନ ପାଖରେ ମଧ୍ୟ ସୂଚନା ନାହିଁ।
ପ୍ରଦୀପ ଜେଲ୍ ଯିବା ପରେ ଗୋପାଳପୁର ରାଜନୀତିରେ ଏକ ନୂତନ ସମୀକରଣ ସୃଷ୍ଟି ହେଉଥିବା ଆଭାସ ମିଳିଥିଲା। ବିରୋଧୀ ଗୋଷ୍ଠୀଙ୍କ ପକ୍ଷରୁ ଗତ ଡିସେମ୍ବର ୧୯ରେ ଖଜୁରିଆରେ ବୈଠକ ହୋଇଥିଲା। ସେମାନଙ୍କ ମଧ୍ୟରୁ କେତେ ଜଣ ବିଧାୟକ ପ୍ରାର୍ଥୀ ଭାବେ ନିଜକୁ ଉପସ୍ଥାପିତ କରିବା ଆରମ୍ଭ କଲେଣି। ଏହି କାରଣରୁ ବିରୋଧୀ ଗୋଷ୍ଠୀ ମଧ୍ୟରେ ମତ ପାର୍ଥକ୍ୟ ଦେଖା ଦେଇଛି।
Comments are closed.