ଚଳିତ ବର୍ଷ ବିନା ଅତିଥିରେ ଗଣତନ୍ତ୍ର ଦିବସ ପାଳିବ ଦେଶ
ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଥମ ଥର ପାଇଁ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପାଳନ ଅବସରରେ ଜଣେ ବିଦେଶୀ ରାଷ୍ଟ୍ର ମୁଖ୍ୟ ଅତିଥି ରହିବେ ନାହିଁ। ଆଜି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି। କରୋନା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଅର୍ଥାତ୍ ବିନା ଅତିଥିରେ ଗଣତନ୍ତ୍ର ଦିବସ ପାଳନ ହେବ। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିଶ୍ ଜନସନ ଭାରତ ଗସ୍ତ ବାତିଲ କରିଥିଲେ। ବ୍ରିଟେନର କରୋନା ପାଇଁ ସେ ଗସ୍ତ ବାତିଲ୍ କରିଥିଲେ। ଏହାପରେ ରିପବ୍ଲିକ୍ ଅଫ୍ ସୁରିନାମେର ରାଷ୍ଟ୍ରପତି ଚନ୍ଦ୍ରିକାପେରସାଦ ସାନ୍ତୋଖି ଅତିଥି ହେବେ ବୋଲି ଆକଳନ କରାଯାଉଥିଲା।
ପ୍ରକାଶ ଯେ, ପୂର୍ବରୁ ୧୯୫୨, ୧୯୫୩ ଏବଂ ୧୯୬୬ ଗଣତନ୍ତ୍ର ଦିବସରେ କୌଣସି ଅତିଥି ଯୋଗ ଦେଇନଥିଲେ। ସେହିପରି ୧୯୫୬, ୧୯୬୮ ଏବଂ ୧୯୭୪ରେ ଦୁଇ ଜଣ ଲେଖାଏଁ ଅତିଥି ଗଣତନ୍ତ୍ର ଦିବସରେ ସାମିଲ୍ ହୋଇଥିଲେ। ୨୦୧୮ରେ ୧୦ଟି ଏସିଆନ୍ ଦେଶର ମୁଖ୍ୟ ଏହି ଅବସରରେ ସାମିଲ୍ ହୋଇଥିଲେ। ଦୀର୍ଘ ୨୮ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ବ୍ରିଟେନ ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ଦିବସରେ ଯୋଗ ଦେବାର ଥିଲା। ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ୧୯୯୩ରେ ବ୍ରିଟେନର ଜୋନ୍ ମେଜର ଅନ୍ତିମ ଥର ପାଇଁ ଭାରତର ଗଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ।
Comments are closed.