Odisha Link
Bridging the Missing Links in Odisha

ଆଜି ୧୧ ଜିଲ୍ଲାରେ ହେବନି ଟିକାକାରଣ

ଭୁବନେଶ୍ବର: ଆଜି ୧୧ ଜିଲ୍ଲାରେ ଟିକାକରଣ ହେବ ନାହିଁ। ଯେଉଁ ଜିଲ୍ଲାରେ ଟିକାକରଣ ହେବା ନାହିଁ ସେହି ଜିଲ୍ଲା ଗୁଡ଼ିକ ହେଲା- ଅନୁଗୁଳ, ବଲାଙ୍ଗୀର, ବରଗଡ଼, ଭଦ୍ରକ, ବୌଦ୍ଧ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି ଓ ନବରଙ୍ଗପୁର। ଆଜି ପାଇଁ ସେସନ୍‌ ସାଇଟ୍‌ ୯୨କୁ ଖସି ଆସିଛି। ଟିକାକରଣ ଟାର୍ଗେଟ ମଧ୍ୟ ୮,୭୪୪କୁ କମାଇ ଦେଇଛନ୍ତି ସରକାର। ଭୁବନେଶ୍ୱରରେ ସେସନ୍‌ ସାଇଟ୍‌ ସଂଖ୍ୟା ୧୭କୁ ଖସାଇବା ସହ ଟିକାକରଣ ଲକ୍ଷ୍ୟ ୧୪୧୬କୁ କମାଇ ଦିଆଯାଇଛି।

 ଦ୍ୱିତୀୟ ପର୍ଯ୍ୟାୟରେ ଟିକାକରଣ ପାଇଁ ଓଡ଼ିଶା ଆସିଛି ଟିକା। ମଙ୍ଗଳବାର କୋଭିସିଲ୍ଡର ୩ ଲକ୍ଷ ୩୪ ହଜାର ୫୦୦ ଡୋଜ୍‌ ଆସି ପହଞ୍ଚିଛି ଭୁବନେଶ୍ୱରରେ। ପୁନେରୁ ସ୍ପାଇସ ଜେଟ୍‌ ବିମାନରେ ଭୁବନେଶ୍ୱର ଆସିଛି ଟିକା। ବିମାନରୁ ସ୍ୱତନ୍ତ୍ର ଗାଡ଼ିରେ ଟିକାକୁ ରାଜ୍ୟ ଭ୍ୟାକ୍‌ସିନ୍‌ ଷ୍ଟୋର୍‌କୁ ନିଆଯାଇଛି। ସେଠାରୁ ବିଭିନ୍ନ ଜିଲ୍ଲାକୁ ଟିକା ପଠାଇବା ଆରମ୍ଭ ହୋଇଯାଇଛି। ଏହି ଟିକା ଯିବା ପରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ବଳକା ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ।

ଏପଟେ ଯେଉଁ ସ୍ୱାସ୍ଥ୍ୟକର୍ମୀ ଏବେ ଟିକା ନନେବେ, ପରବର୍ତ୍ତୀ ସମୟରେ ସରକାର ଆଉ ସେମାନଙ୍କୁ ମାଗଣାରେ ଟିକା ଦେବେନି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ମଙ୍ଗଳବାର ରାଜ୍ୟରେ ୧୯୨ଟି ସେସନ୍‌ ସାଇଟ୍‌ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତାଲିକା କରିଥିଲେ । ହେଲେ ଟିକା ନେବାକୁ ନଆସିବାରୁ କେନ୍ଦ୍ର ସଂଖ୍ୟା ୧୮୨କୁ କମାଇ ଦିଆଯାଇଥିଲା । ଆଜି ୧୬,୨୬୧ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ୧୪ ହଜାର ୨୯୧ ଜଣ ଟିକା ନେଇଛନ୍ତି। ଆଜି ଦିନରେ ଲକ୍ଷ୍ୟର ୮୮%ଙ୍କୁ ଟିକା ଦିଆଯାଇ ପାରିଛି। ଶନିବାର ରାଜ୍ୟରେ ୧୩,୯୮୦ ଜଣ ଓ ସୋମବାର ୩୧,୯୦୨ ନେଇଥିଲେ। ଅର୍ଥାତ ତିନିଦିନରେ (ବର୍ତ୍ତମାନ) ସୁଦ୍ଧା ୬୦, ୧୭୩ ଜଣ ଟିକା ନେଲେଣି ।

ଢେଙ୍କାନାଳରେ ୪୬% , ଦେବଗଡରେ ୫୮%, ନୂଆପଡ଼ାରେ ୫୨% ଓ ରାୟଗଡ଼ାରେ ୩୮% ଟିକା ନେଇଛନ୍ତି।ଭୁବନେଶ୍ୱରରେ ୨୩୩୬ଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ଟିକା ନେଇଥିଲେ ୯୫୩ ଜଣ। ୬୯% ଟିକାକରଣ ହୋଇଛି ରାଜଧାନୀରେ । ଟିକା ନେବା ପରେ ୫ ଜଣଙ୍କ ଦେହରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇଛି। ବରଗଡ଼ରେ ଟିକା ଦିଆଯାଇନଥିଲେ ମଧ୍ୟ ସୋମବାର ଟିକା ନେଇଥିବା ଜଣେ ଅସୁସ୍ଥ ହୋଇଛନ୍ତି । ଝାରସୁଗୁଡ଼ାରେ ମଧ୍ୟ ଜଣେ, ଖୋର୍ଦ୍ଧାରୁ ଜଣେ ଓ ସୁନ୍ଦରଗଡ଼ରୁ ୨ ଜଣ ଅସୁସ୍ଥ ହୋଇଥିଲେ। ଏମାନଙ୍କୁ ଏଇଏଫ୍‌ଆଇ କିଟ୍‌ରେ ଚିକିତ୍ସା କରାଯାଇଛି। ମଙ୍ଗଳବାର ଅସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ୨ ଜଣ ସୋମବାର ଟିକା ନେଇଥିଲେ। ଶନିବାର ଟିକା ନେବା ପରେ ୩, ସୋମବାର ୨ ଜଣଙ୍କ ଦେହରେ ମଧ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଯାଇଥିଲା। ଅର୍ଥାତ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ଦେହରେ ପାଶ୍ୱର୍ ପ୍ରତିକ୍ରିୟା ହୋଇଛି।

Comments are closed.