Odisha Link
Bridging the Missing Links in Odisha

କାଲି ପବିତ୍ର ଶାମ୍ବ ଦଶମୀ

କାଲି ପବିତ୍ର ଶାମ୍ବ ଦଶମୀ। ଏହି ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ। ଏହି ପର୍ବ ପୌଷ ଶୁକ୍ଳ ଦଶମୀ ଦିନରେ ପାଳନ କରାଯାଏ। ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ କରାଯାଇଥାଏ।

ମାଆ ମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ ।

ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି । ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ ।

ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ । ଏହି ଧୂପରେ ମଧ୍ୟ ଏଣ୍ଡୁୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।

Comments are closed.