ବାବାସ୍ୟ କାନ୍ୟ ଗତି!
ମୁଣ୍ଡ ମସଲା-୩ | ଡଃ କୁଳାଙ୍ଗାର
ବାବାସ୍ୟ କାନ୍ୟ ଗତି!
ବିବି ବିନା ତ ଅନେକ ବଞ୍ଚିଛନ୍ତି, କିନ୍ତୁ ବାବାଙ୍କ ବିନା ଏବେ ବଞ୍ଚିବା ଏବେ ଅସମ୍ଭବ ହୋଇ ଯାଇଛି। ବାବା କେବେ ଆଧ୍ୟାତ୍ମିକ ଥିଲେ, ଏବେ କିନ୍ତୁ ବାବାମାନେ ସର୍ବବ୍ୟାପୀ। ବାବା ନେତା, ବାବା ଗୁରୁ, ବାବା ବେପାରୀ, ବାବା ଚିକିତ୍ସକ, ବାବା ଅଭିନେତା, ବାବା ଗାୟକ, ବାବା ବକ୍ତା, ବାବା ଡନ୍, ବାବା ଧନୀ, ବାବା ବାପା। ଅତଏବ ଯୁଆଡ଼େ ଗଲେ, ଆମେ ବାବାଙ୍କ ହାବୁଡ଼ରେ ହିଁ ପଡ଼ିବା।
ଭାରତୀୟମାନେ ଦୁଇ ଭାଗରେ ବିଭକ୍ତ; ଦଳେ ବାବା ଆଉ ଦଳେ ଭକ୍ତ। ମାତାମାନେ କେବେ ବାବା କେବେ ଭକ୍ତ। ଆମେ ଭକ୍ତମାନେ ସର୍ବଦା ଚମତ୍କାର ଆଶାୟୀ। ଯେତେ ସୁଖ ମିଳିଲେ ମଧ୍ୟ ଆମେ ଚାହୁଁ କିଛିଗୋଟେ ଚମତ୍କାର ଘଟୁ।
ସ୍ବାମୀ ଓ ସ୍ତ୍ରୀ କଳହରେ ମାତି ସମସ୍ୟାର ସମାଧାନ ପାଇଁ ବାବାଙ୍କ ପାଖକୁ ଯାଆନ୍ତି। ବାବା ତ ସ୍ବୟଂ ସଂସାର ତ୍ୟାଗୀ। କରନ୍ତେ କ’ଣ, ଦୁଇ ବିଲେଇଙ୍କ ଭିତରେ ସମାନ ଭାବରେ ପିଠା ବଂଟନ କରିବା ପରି ବାବା ମାଙ୍କଡ଼ ସାଜି ପିଠା ଖାଇ ବସନ୍ତି।
କାହାର କିଛି ହେଲେ, ଖୋଜିବାର ବ୍ୟବସ୍ଥା ବାଵା କରିବେ।
କାହାର ଦେହ ଖରାପହେଲେ, ବାଵା ସୁସ୍ଥ କରିବେ।
କାହାର ପରୀକ୍ଷା ଖରାପ ହେଲେ, ଭଲ ଫଳର ବ୍ୟବସ୍ଥା ବାଵା କରିବେ।
କାହାର ସିନେମା ରିଲିଜ୍ ହେଲେ, ହିଟ୍ ହେବା ବ୍ୟବସ୍ଥା ବାଵା କରିବେ।
କାହାର ପିଲାଛୁଆ ନହେଲେ, ପ୍ରଜନନ ବ୍ୟବସ୍ଥା ବାଵା କରିବେ।
ଏସବୁ ଯଦି କରି ନପାରିଲେ ସିଏ କି ବାବା। ଅତଏବ କେବଳ ସାଧୁ ହୋଇ, ଆଧ୍ୟାତ୍ମିକ ଆଲୋଚନା କରି ବାବା ହୋଇ ତିଷ୍ଠିବା କଠିନ ବ୍ୟାପାର। ତେଣୁ ବାବା କିଛି ଯାଦୁବିଦ୍ୟା କରନ୍ତି ଆଉ କିଛି ଯାଦୁଆ ବିଦ୍ୟା ମଧ୍ୟ କରନ୍ତି।
ବାସ୍, ଏବେ ଦେଖ ମଜା। ପ୍ରଥମେ ଭଗବାନଙ୍କର ଭକ୍ତର ପରିଚୟଧାରୀ ବାବା, ପରେ ଭଗବାନଙ୍କର ପ୍ରତିନିଧି, ପରେପରେ ଭଗବାନଙ୍କର ଅବତାର ଓ ଶେଷରେ ଭଗବାନ ପାଲଟି ଯାଆନ୍ତି।
ବାବାଙ୍କର ଭକ୍ତ ହେବା, ପ୍ରେମ କରିବା ପରି ଗୋପନୀୟ ଓ ଲୋକଦୃଷ୍ଟିରେ ଅସାଧାରଣ। ଉଭୟରେ ଲାଜ ଓ ଭୟ ଲୋପ ପାଇବା ସହିତ ତତ୍ପରତା ଓ ନିର୍ଭିକତା ବୃଦ୍ଧି ପାଇବା ସହ ଗର୍ଭଧାରଣର ଯଥେଷ୍ଟ ସମ୍ଭାବନା ଥାଏ!
ବାବାମାନଙ୍କର ଆରମ୍ଭ ଯେତିକି ଚମତ୍କାର, ଶେଷ ସେତିକି ମନ ମୁଗ୍ଧକର। ଜଣେ ବାବା ଯୁବାକାଳରେ ଅଜଣା ରୋଗରେ ଏକାଧିକ ମାସ ପଡ଼ିପଡ଼ି ମରିଗଲେ। ଭକ୍ତମାନେ ପ୍ରଚାର କଲେ; ବାବାଙ୍କର ମାୟା ଦେଖ, ଡାକ୍ତରମାନେ ରୋଗ ଧରି ପାରୁ ନାହାନ୍ତି। ଯାହା ଚିକିତ୍ସା କଲେ ମଧ୍ୟ ଭଲ ହେଲେନି, ବାବା ଚାଲିଗଲେ। ପଛରେ ଜଣା ପଡିଲା, ବାବାଙ୍କର ସବୁ ପରୀକ୍ଷା ହୋଇଥିଲା; କେବଳ ଏଚ୍. ଆଇ.ଭି.-ଏଡ୍ସକୁ ଛାଡ଼ି!
ବାବାମାନେ ଭକ୍ତଙ୍କର ଶୟନ କକ୍ଷକୁ ଯାଆନ୍ତି, ସଂସଦକୁ ଯାଆନ୍ତି, ବିଦେଶକୁ ଯାଆନ୍ତି। ସେମିତି ଜେଲକୁ ଗଲେ ତ କଣ ଅସୁବିଧା ହୋଇଗଲା? ମୂଢ଼ମାନେ ବୁଝି ପାରନ୍ତିନି ଜେଲ୍ ହେଉଛି, ପରମ ପାବନ କ୍ଷେତ୍ର, ତାହା ହେଉଛି ପରମ ପ୍ରେମମୟ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ। ବାବା ତ ଖୋଦ୍ ଶ୍ରୀକୃଷ୍ଣଙ୍କର ଅବତାର ତେଣୁ ନିଜ ଜନ୍ମସ୍ଥାନକୁ ଯାଇ ଟିକେ ବୁଲି ଆସିବାକୁ ମନ ଵଳିଥିବ। ତେଣୁ ସେଇ ଉଦ୍ଦେଶ୍ୟରେ ଏମିତି ମାୟା ଭିଆଇଥିବେ। ଆମେ ଯାହାକୁ ଭାବୁଛେ କୀଳା, ବାବାଙ୍କର ତାହା ଲୀଳା।
ଅତଏବ ସେଇ ବାବା ଯେବେ ଜାମିନ ପାଇ, ଲୀଳା ସାରି ପୁଣି ଆମ ନିକଟକୁ ଫେରି ଆସୁଛନ୍ତି, ସେତେବେଳେ ଆମେ ତାଙ୍କ ପାଦରୁ ମହୁ ଚାଟିବାକୁ ଆଗେଇ ଆସିବାକୁ ଚାହିଁବା ତ ନିଶ୍ଚୟ! କାରଣ ଆମେ ମଣିଷ ଆଉ ସିଏ ବାବା।
ଆମେ ସେଇ ମଣିଷ, ଯିଏ ଜରୁରୀ ପରିସ୍ଥିତି ଲାଗୁକଲା ପରେ ମଧ୍ୟ ଇନ୍ଦିରା ଗାନ୍ଧିଙ୍କୁ ବହୁମତ ଦେଇଛନ୍ତି, ଦୁର୍ନୀତି କରି ଦୋଷୀ ସାବ୍ୟସ୍ତ ହେଲା ପରେ ମଧ୍ୟ ଲାଲୁ ଯାଦବଙ୍କୁ କ୍ଷମତାସୀନ କରାଇଛନ୍ତି।
ବାବାମାନେ ବାରମ୍ବାର ଆବିର୍ଭାବ ହୁଅନ୍ତି। ଆମ ମନର କଣ୍ଡୁକୁ ରାମ୍ପିବାର ପ୍ରକୃଷ୍ଟ ଉପାୟ ଏ ବାବାମାନଙ୍କୁ ଜଣା। ପ୍ରକୃତରେ ଆପଣାର ସ୍ବାର୍ଥ ସାଧନ ପାଇଁ ଆମେମାନେ ହିଁ ବାବାମାନଙ୍କୁ ତିଆରି କରୁ। ତେଣୁ ଆମେ ସମସ୍ତେ ବାବାମାନଙ୍କର ଅତି ନିଜଲୋକ। ଅତଏବ ତାଙ୍କର ଭୁଲ୍ ଆମକୁ ଠିକ୍ ଲାଗେ!
Comments are closed.