ନାହିଁ ରାସ୍ତା, ଷ୍ଟ୍ରେଚରରେ ପ୍ରସୂତିଙ୍କୁ ନଦୀ ପାର କରାଇ ଡାକ୍ତରଖାନା ନେଲେ ଲୋକ
ନୂଆପଡ଼ା: ଗାଁ କୁ ନାହିଁ ରାସ୍ତା। ସେଥିପାଇଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ତେଣୁ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ଅଣ୍ଟେ ପାଣିରେ ନଦୀ ପାର କରାଇ ଡାକ୍ତରଖାନା ନେଲେ ଗାଁ ଲୋକ। ଏପରି ଘଟଣା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ରେ ଘଟିଛି। ଗତକାଲି ଚିତାରମା ଗାଁର ବିଜେଶ୍ୱର ଚିନ୍ଦାଙ୍କ ପତ୍ନୀ ନିରୁ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ହେଲେ ଗାଁକୁ ରାସ୍ତା ନାହିଁ ଓ ବର୍ଷା ଲାଗି ରହିଥିବାରୁ ପତ୍ନୀଙ୍କୁ ମେଡିକାଲ୍ କେମିତି ନେବେ ବୋଲି ବିଜେଶ୍ବର ଚିନ୍ତାରେ ପଡ଼ିଯାଇଥିଲେ। ଶେଷରେ କୌଣସି ଉପାୟ ନପାଇ ସେ ଗାଁ ଲୋକଙ୍କ ସହାୟତାରେ ତାଙ୍କ ପତ୍ନୀଙ୍କୁ ଷ୍ଟ୍ରେଚରରେ ବିପଦ ସଙ୍କୁଳ ଅବସ୍ଥାରେ ଉଦନ୍ତୀ ନଦୀ ପାର କରାଇଥିଲେ। ଚାରି ଜଣ ଲୋକ ଷ୍ଟ୍ରେଚରକୁ କାନ୍ଧେଇଥିବା ବେଳେ ଜଣେ ବ୍ୟକ୍ତି ଛତା ଦେଖାଇ ଗର୍ଭବତୀଙ୍କୁ ବର୍ଷାରୁ ରକ୍ଷା କରିବାକୁ ଉଦ୍ୟମ କରୁଥିଲା। ଅଣ୍ଟେ ପାଣିରେ ସେମାନେ ନିରୁଙ୍କୁ ନଦୀ ପାର କରାଇଥିଲେ।
ସୌଭାଗ୍ୟ ବଶତଃ ନଦୀ ଆରପାଖ ସିନ୍ଦୁରସିଲ ଗାଁରେ ସିନାପାଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ମ୍ୟାଲରିଆ ନିରାକରଣ କାର୍ଯ୍ୟକ୍ରମ ହେଉଥିଲା। ସ୍ୱାସ୍ଥ୍ୟକର୍ମୀମାନେ ଏପରି ଅବସ୍ଥା ଦେଖି ପ୍ରସୂତିଙ୍କୁ ନିଜ ଗାଡ଼ିରେ ନେଇ ସିନାପାଲି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରସୂତି ସୁସ୍ଥ ଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ମା’ଗୃହକୁ ପଠାଇ ଦିଆଯାଇଥିବା ସୂଚନା ପ୍ରକାଶ ପାଇଛି। ରାସ୍ତା ନଥିବାରୁ ରାଜ୍ୟରେ ବାରମ୍ବାର ଏପରି ଘଟଣା ଦେଖିବାକୁ ମିଳୁଛି। ଅନେକ ଗର୍ଭବତୀଙ୍କ ପାଖରେ ଆମ୍ବୁଲାନ୍ସ ପହଂଚି ପାରୁନାହିଁ। ରାଜ୍ୟ ସରକାର ଗର୍ଭବତୀଙ୍କ ପାଇଁ ଜନନୀ ଏକ୍ସପ୍ରେସ କରିଥିବା ବେଳେ ତାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।
Comments are closed.