ଆଜି ଭାରତ ବନ୍ଦ, ‘ମୋ ବସ୍’ ଚଳାଚଳ ସ୍ବାଭାବିକ

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ। ଆଜି ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଟକ ନଗର ବ୍ୟବସାୟୀ ମହାସଂଘ।
କେବଳ କଟକ ନୁହେଁ, ଦେଶର ପ୍ରାୟ ୪୦ ହଜାର ଟ୍ରେଡ୍ ଆସୋସିଏସନ୍ ବି ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି। ଫଳରେ ଆଜି ପ୍ରାୟ ୨୦ ଲକ୍ଷ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବାର ସମ୍ଭାବନା ରହିଛି। ଆଜି ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।
ଜିଏସ୍ଟି ଆଇନ ଯୋଗୁଁ ବ୍ୟବସାୟ କରିବା ମୁସ୍କିଲ ହୋଇପଡ଼ିଲାଣି ବୋଲି ମହାସଂଘ କହିଛି । କଟକ ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ବନ୍ଦ ଡାକରାକୁ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
କଟକ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ, ସମ୍ବଲପୁର ଓ ରାଉରକେଲା ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବସ୍ ଚଳାଚଳ ବନ୍ଦ ରହିଛି। କିନ୍ତୁ କଟକ ଓ ଭୁବନେଶ୍ବରରେ ‘ମୋ ବସ୍’ ଚଳାଚଳ ସ୍ବାଭାବିକ ରହିଛି ।
ତେବେ ରାସ୍ତାରେ ଆଜି କମସଂଖ୍ୟକ କାର୍, ଅଟୋ ଆଦି ଚାଲୁଥିବାର ଦେଖିବାକୁ ମିଳୁଛି । କୌଣସି ସ୍ଥାନରେ ଏଯାବତ୍ ଅପ୍ରୀତିକର ପରିସ୍ଥିତି ଘଟିଥିବାର ସୂଚନା ନାହିଁ ।
Comments are closed.