ପ୍ରେମ୍ ଆନନ୍ଦଙ୍କ ସଙ୍ଗୀତରେ ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ
![](https://www.odishalink.com/wp-content/uploads/2021/03/WhatsApp-Image-2021-03-02-at-12.27.18-e1614668413906.jpeg)
ଭୁବନେଶ୍ବର: ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏଠି ସେଠି କିମ୍ବା ସଉକ ପାଇଁ ନୁହେଁ, ଷ୍ଟୁଡିଓରେ ବିଧିବଦ୍ଧ ଭାବେ ଏକ ଓଡ଼ିଆ ଗୀତର ରେକର୍ଡିଂ କରିଛନ୍ତି ରାଜ୍ୟପାଳ। ତାହା ପୁଣି ଜଣେ ପେସାଦାର କଣ୍ଠଶିଳ୍ପୀଙ୍କ ଭଳି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏ ମାଟି ଓଡ଼ିଶା… ଏ ଜାତି ଓଡ଼ିଆ…। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଦ୍ବାରା ପ୍ରସ୍ତୁତ ଏହି ସଂଗୀତରେ କଣ୍ଠଦାନ କରିଛନ୍ତି ଖୋଦ୍ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
କେବଳ ରାଜ୍ୟପାଳ ନୁହନ୍ତି, ଏଥିରେ ୧୪ ଜଣ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ମଧ୍ୟ କଣ୍ଠଦାନ କରିଛନ୍ତି। ନୀଳାଦ୍ରିବିହାରର ଏକ ଷ୍ଟୁଡିଓରେ ଏହି ସଙ୍ଗୀତର ରେକର୍ଡିଂ କରାଯାଇଛି। ବସନ୍ତ ରାଜ ସାମଲ ଏହି ଗୀତଟିକୁ ଲେଖିଥିବା ବେଳେ ଭିନ୍ନ ଭିନ୍ନ କଣ୍ଠଶିଳ୍ପୀଙ୍କୁ ନେଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଆସନ୍ତା ଉତ୍କଳ ଦିବସ ଅବସରରେ ଭିଡିଓ ସହ ଏହି ସଙ୍ଗୀତ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।
ଗୀତ ରେକର୍ଡ଼ିଂ ପରେ ରାଜ୍ୟପାଳ କହିଛନ୍ତି ଯେ, ଏହା ଏକ ଅତି ମଧୁର ସଂଗୀତ। ଏହି ଗୀତର ମାଧୁର୍ଯ୍ୟରେ ସମସ୍ତେ ଆତ୍ମହରା ହୋଇଯିବେ। ଏହା ସାରା ବିଶ୍ବର ହୃଦୟକୁ ଝଙ୍କୃତ କରିବ। ସେହିପରି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କହିଛନ୍ତି, ଓଡ଼ିଆ ଭାଷାର ଶାସ୍ତ୍ରୀୟତା, ଲୁଚିଯାଉଥିବା ଓଡ଼ିଶାର ବହୁ ପରମ୍ପରା, ଐତିହ୍ୟ ଓ ସଂସ୍କୃତିକୁ ଆଧାର କରି ଏହି ଗୀତଟି ରଚିତ ହୋଇଛି। ଆଶା ଏହି ଗୀତଟି ପ୍ରତ୍ୟେକ ଓଡ଼ିଆ ପାଖରେ ପହଞ୍ଚିବ ଏବଂ ସେଇ ଓଡ଼ିଆ ପରମ୍ପରା ଓ ଐତିହ୍ୟର ସେହି ପୁରୁଣା କଥା ସବୁ ପୁଣି ଉଜ୍ଜୀବିତ ହୋଇ ଉଠିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Comments are closed.