ପିପିଲି-ଉପନିର୍ବାଚନ, ରୁଦ୍ରଙ୍କ ସପକ୍ଷରେ ଦାଦା

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେଇ ସାରିଛି। ଅନ୍ୟପଟେ ଶାସକ ବିଜେଡ଼ି ଦଳୀୟ ସଂଗଠନକୁ ସଜାଡ଼ିବା ସହ ପ୍ରାର୍ଥୀ ଚୟନ ନେଇ ଅଙ୍କକଷା ଜାରି ରଖିଛି। ତେବେ ଦିବଂଗତ ପ୍ରଦୀପ ମହାରଥିଙ୍କ ପରେ କାହାକୁ ପିପିଲିରୁ ପ୍ରାର୍ଥୀ କରାଯିବ ସେନେଇ ଚର୍ଚ୍ଚା ଆଲୋଚନା ଚାଲିଥିବାବେଳେ ମହାରଥିଙ୍କ ପରିବାରରୁ ହିଁ ଜଣଙ୍କୁ ଟିକେଟ ମିଳିବ ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ଜୋରଧରିଛି।
ମହାରଥିଙ୍କ ପତ୍ନୀ ପ୍ରତିଭା ମହାରଥି ନା ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥିଙ୍କୁ ପ୍ରାର୍ଥୀ କରାଯିବ ସେନେଇ କିନ୍ତୁ ଅଙ୍କକଷା ଚାଲିଥିବା କୁହାଯାଉଛି। ଏପରିକି ପ୍ରତିଭାଙ୍କ ସପକ୍ଷରେ ଗୋଟିଏ ଗୋଷ୍ଠୀ ଯୁକ୍ତି ବାଢୁଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ରୁଦ୍ରଙ୍କ ପାଇଁ ଲବି କରୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଉଭୟ ପ୍ରତିଭା ଓ ରୁଦ୍ର ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଅଛନ୍ତି ବୋଲି ପିପିଲିରେ ଚର୍ଚ୍ଚା ହେଉଛି।
ଗୋଟିଏ ପଟେ ଏଭଳି ଚର୍ଚ୍ଚା ଜାରି ରହିଥିବାବେଳେ ଆଜି ମହାରଥିଙ୍କ ଭାଇ ପ୍ରଣୟ ମହାରଥି ମୁହଁ ଖୋଲିଛନ୍ତି। ପ୍ରଣୟ କହିଛନ୍ତିଯେ, ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଅଛି। ଏଭଳି କ୍ଷେତ୍ରରେ ଜଣେ ଯୁବକଙ୍କୁ ପ୍ରାର୍ଥୀ କରାଗଲେ ଭଲ ହେବ। ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ କରାଗଲେ ବହୁତ ଭଲ ହେବବୋଲି ସେ କହିଛନ୍ତି। ତାଙ୍କ ପଛରେ ପୂରା ପରିବାର ରହିଛି।
ସେହିପରି ପ୍ରତିଭାଙ୍କ ପ୍ରାର୍ଥୀତ୍ୱକୁ ନେଇ ସେ କହିଛନ୍ତିଯେ, ଉପନିର୍ବାଚନ ହେଲେ ସେ ଜିତିବେ। କିନ୍ତୁ ଭବିଷ୍ୟତ କଥା କୁହାଯାଇପାରିବ ନାହିଁ। ଭବିଷ୍ୟତରେ ଏଠାରେ ବିଜେଡ଼ିର ସ୍ଥିତି ରହିପାରିବ ନାହିଁ। ପିପିଲିକୁ ସଂଗଠନ ଦରକାର। ତେବେ ଯାହା ମୁଖ୍ୟମନ୍ତ୍ରୀ ଚିନ୍ତା କରିବେ ତାହାକୁ ସେମାନେ ମାନିବେ ବୋଲି ପ୍ରଣୟ ପ୍ରକାଶ କରିଛନ୍ତି।
Comments are closed.