Odisha Link
Bridging the Missing Links in Odisha

କରୋନା: ବାହାର ରାଜ୍ୟରୁ ଅସୁଥିଲେ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ବର: ପୁଣି ରାଜ୍ୟରେ ଚିନ୍ତା ପଢ଼ାଇଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଛନ୍ତି ଏକ ନିର୍ଦ୍ଦେଶନାମା। ନିର୍ଦ୍ଦେଶନାମା ଅନୁସାରେ ବାହାର ରାଜ୍ୟରୁ ଟ୍ରେନ୍‌, ବସ୍‌, ବିମାନ ଓ ଜଳପଥରେ ଓଡ଼ିଶା ଆସୁଥିବା ଲୋକଙ୍କୁ ଆରଟି-ପିସିଆର ଟେଷ୍ଟ ନେଗେଟିଭ୍‌ ରିପୋର୍ଟ‌ ଦେବାକୁ ପଡ଼ିବ।

ଏହି କୋଭିଡ ଟେଷ୍ଟ ରିପୋର୍ଟ ୭୨ ଘଣ୍ଟା ଭିତରେ ହୋଇଥିବା ଦରକାର। ଯେଉଁ ଲୋକମାନେ ବିନା କୋଭିଡ ରିପୋର୍ଟରେ ଓଡ଼ିଶା ଆସୁଛନ୍ତି ସେମାନେ ବାଧ୍ୟତାମୂଳକ ଭାବେ ହୋମ୍‌ କ୍ବାରେଣ୍ଟାଇନ୍‌ ଅଥବା ସରକାରୀ ସଂଗରୋଧରେ ରହିବେ। ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆସନ୍ତା ୧୨ ତାରିଖ ଠାରୁ ନୂଆ ନିୟମ ଲାଗୁ କରାଯିବ। ସେହିପରି ଆଗାମୀ ୧୦ ତାରିଖ ଠାରୁ ୩୦ ତାରିଖ ଯାଏଁ ଛତିଶଗଡ଼ରୁ ଓଡ଼ିଶା ଆସିବା ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଏଥି ପାଇଁ ସାଧାରଣ ପରିବହନ ସେବା ବନ୍ଦ କରିଦିଆଯାଇଛି।

ଓଡ଼ିଶା ସୀମାରେ ଥିବା ଚେକ ପଏଣ୍ଟ ଦେଇ ଯାତାୟତ କରୁଥିବା ଲୋକଙ୍କର ଗମନାଗମନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି। ସୀମାରେ ଥିବା ଚେକ ପଏଣ୍ଟ ଦେଇ ଆସୁଥିବା ଲୋକଙ୍କର ଟିକାକରଣ ପ୍ରମାଣ ପତ୍ର ଅଥବା ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ କୁହାଯାଇଛି।

ସମସ୍ତ ଶିଳ୍ପ ସଂସ୍ଥାନ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନରେ କୋଭିଡ-୧୯ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିମାନଙ୍କ ପାଇଁ ଏହି ସବୁ ପ୍ରତିଷ୍ଠାନରେ କୋଭିଡ କେୟାର ସେଣ୍ଟର, କୋଭିଡ କେୟାର ହୋମ୍‌ସର ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଏଥି ପାଇଁ ହେଉଥିବା ଖର୍ଚ୍ଚ ସଂସ୍ଥାକୁ ବହନ କରିବାକୁ ପଡ଼ିବ। ସେହିଭଳି ‌ଦୈନିକ କୋଭିଡ ପ୍ରୋଟୋକଲ ଉପରେ ଦୈନିକ ରିପୋର୍ଟ ଜିଲ୍ଲାପାଳ ଅଥବା ପୌରସଂସ୍ଥାର କମିସନରଙ୍କୁ ଦାଖଲ କରିବାକୁ ପଡ଼ିବ। ସମସ୍ତ ଜିଲ୍ଲାପାଳ ଓ ପୌରପାଳିକା କମିସନରଙ୍କୁ ଦୈନିକ ବୈଠକ କରି ଶିଳ୍ପ ସଂସ୍ଥା, ଶିକ୍ଷା ପ୍ରତିଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ କରୋନା ସ୍ଥିତି ନେଇ ସମୀକ୍ଷା କରିବାକୁ ପରାମର୍ଶ ହୋଇଛି।

ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଂଗପୁର, କୋରାପୁଟ, ମାଲକାନଗିରି, ଗଂଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଂଜ ଓ ବାଲେଶ୍ବର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ଚିଠି ଲେଖି କହିଛନ୍ତି ଯେ, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା କରାଯାଉ। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ସରକାରୀ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଉ। ଏଥି ପାଇଁ ହେବାକୁ ଥିବା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ।

Leave A Reply

Your email address will not be published.