ଖବରକାଗଜ ହେଡଲାଇନ୍ରେ ବିଜେପି ଅଧ୍ୟକ୍ଷଙ୍କ ଫୋନ୍ ନମ୍ବର, ପଢ଼ନ୍ତୁ କାହିଁକି…
ଭାସ୍କରର ପ୍ରଶ୍ନ- କୋଭିଡ୍ ଔଷଧ ଅଭାବ ବେଳେ ସଭାପତିଙ୍କ ପାଖରେ କେଉଁଠୁ ଆସିଲା ୫୦୦୦ ରେମ୍ଡିସାଇଭିର୍?

ଅହମ୍ମଦାବାଦ: କୋଭିଡ୍ ଭଳି ଆତଙ୍କ ସମୟରେ ଅଭିନବ ଉପାୟରେ ସାହସିକତା ଦେଖାଇଛି ଭାସ୍କର ଗ୍ରୁପ୍ର ଗୁଜରାଟୀ ଖବରକାଗଜ ‘ଦିବ୍ୟ ଭାସ୍କର’। ଖବରକାଗଜର ପ୍ରଥମ ପୃଷ୍ଠାରେ ରାଜ୍ୟ ବିଜେପି ସଭାପତିଙ୍କ ଫୋନ୍ ନମ୍ବର ଛାପି ତାଙ୍କୁ କିଛି ଜରୁରୀ ପ୍ରଶ୍ନ ପଚାରିଛି ଗୁଜରାଟର ଅନ୍ୟତମ ବହୁଳ ପ୍ରସାରିତ ଖବରକାଗଜ ଦିବ୍ୟ ଭାସ୍କର।
ଗୁଜରାଟରେ ଜରୁରୀ କୋଭିଡ୍ ଇଂଜେକ୍ସନ୍ ରେମ୍ଡିସାଇଭିର୍ ଅଭାବ ଦେଖା ଦେଇଥିବା ବେଳେ ରୋଗୀମାନେ ବେଶ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏଭଳି ସମୟରେ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ରଘୁନାଥ ପାଟିଲ ଘୋଷଣା କରିଥିଲେ ଯେ ତାଙ୍କ ଦଳ ପକ୍ଷରୁ ୫୦୦୦ ରେମ୍ଡିସାଇଭିର୍ ମାଗଣା ପ୍ରଦାନ କରାଯିବ। ସେ କେଉଁଠୁ ଏ ରେମ୍ଡିସାଇଭିର୍ ସବୁ ପାଇଲେ ବୋଲି ପ୍ରଶ୍ନ ହେବାରୁ ଗଣମାଧ୍ୟମକୁ କୌଣସି ଉତ୍ତର ଦେଇପାରିନଥିଲେ ପାଟିଲ।
ଜଣକା ୬ରୁ ଅଧିକ ରେମ୍ଡିସାଇଭିର୍ କିଣିପାରିବେ ନାହିଁ ବୋଲି ସରକାରୀ ନିୟମ ଥିବା ବେଳେ ପାଟିଲ ଏତେ ସଂଖ୍ୟକ ଇଂଜେକ୍ସନ୍ ରଖିବା ପାଇଁ କେଉଁଠୁ ଓ କିପରି ଅନୁମତି ପାଇଲେ ବୋଲି ପ୍ରଶ୍ନ ଉଠିଥିଲା। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ସମାନ ପ୍ରଶ୍ନ ପଚରା ଯାଇଥିଲା। ‘ମୁଁ ଜାଣିନି, ପାଟିଲଙ୍କୁ ପଚାର’ ବୋଲି ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ।
ପରଦିନ (୧୧ ଏପ୍ରିଲ, ରବିବାର) ପାଟିଲଙ୍କ ଫୋନ୍ ନମ୍ବରକୁ ହେଡଲାଇନ୍ କରିଥିଲା ଦିବ୍ୟ ଭାସ୍କର, ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ।
ଖବରକାଗଜର ଶିରୋନାମକୁ ଓଡ଼ିଆରେ ଲେଖିଲେ ଏଭଳି ହେବ-
୯୮୨୪୧୨୭୬୯୪ ଏହି ନମ୍ବରଟି ଇଂଜେକ୍ସନ୍ ସରକାର ସିଆର୍ ପାଟିଲଙ୍କର। ଯାହାର ଆବଶ୍ୟକ ସେମାନେ ପାଟିଲଙ୍କୁ ଫୋନ୍ କରି ଇଂଜେକ୍ସନ୍ ମାଗିପାରିବେ… କାରଣ ସିଆର୍ ପାଟିଲ୍ କେମିତି ଇଂଜେକ୍ସନ୍ ପାଇଲେ ଏ ପ୍ରଶ୍ନ କେବଳ ତାଙ୍କୁ ହିଁ ପଚରାଯାଉ ବୋଲି ରୂପାନୀ କହିଛନ୍ତି।
ଉପ ଶିରୋନାମରେ ପୁନଶ୍ଚ ଲେଖାଯାଇଛି-
ଯେତେବେଳେ ଘଣ୍ଟାଘଣ୍ଟା ଧାଡ଼ିରେ ଠିଆହୋଇ ମଧ୍ୟ ଲୋକମାନେ Remdesivir ଇଂଜେକ୍ସନ୍ ପାଇପାରୁନାହାନ୍ତି, ବିଜେପି ସଭାପତି ସିଆର୍ ପାଟିଲଙ୍କପାଖରେ ୫୦୦୦ ଇଂଜେକ୍ସନ୍ କେଉଁଠୁ ଆସିଲା? ସରକାର ଜବାବ ରଖିବା ଉଚିତ।
ଜଣେ ବନ୍ଧୁଙ୍କ ଠାରୁ ଇଂଜେକ୍ସନ୍ ଆଣିଛନ୍ତି ବୋଲି ପାଟିଲ ବାଆଁରେଇଥିଲେ ବି ତାଙ୍କୁ ଗିରଫ କରାଯିବା ଉଚିତ ବୋଲି ଭାସ୍କର ଲେଖିଛି। ୧୨ ତାରିଖରେ ଗୁଜରାଟରେ ୫,୪୦୦ ନୂଆ କୋଭିଡ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ୫୪ ଜଣଙ୍କର ମୃତ୍ୟୁ ହୋଇଛି। ଅନୁରୂପ ଭାବେ କାଲି ୬୬୯୦ ଜଣ ନୂଆ କୋଭିଡ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ୬୭ ଜଣଙ୍କର ତତ୍ଜନିତ ମୃତ୍ୟୁ ହୋଇଛି। ଗୁଜରାଟରେ କୌଣସି ଗୋଟିଏ ଦିନର ମାମଲା ତୁଳନାରେ ଗତକାଲିର ସଂଖ୍ୟା ସର୍ବାଧିକ। ଗୁଜରାଟରେ କେବଳ ରେମଡେସାଇଭିର ଇଂଜେକ୍ସନ୍ ନୁହେଁ, ବର୍ତ୍ତମାନ ଆଇସିୟୁ, ହସ୍ପିଟାଲ ଶଯ୍ୟା ଓ ଅମ୍ଳଜାନ ଯୋଗାଣରେ ମଧ୍ୟ ଅଭାବ ଦେଖାଦେଇଛି।