ଷଡ଼ଯନ୍ତ୍ର ଥିଲା କି ନାହିଁ ତଦନ୍ତ ହେବ: ସିପି
ଭୁବନେଶ୍ୱର: କଟକ ଏସସିବିରୁ ଫେରାର୍ ହାଇଦରକୁ ଧରିବା ପାଇଁ ରାଜ୍ୟ ବାହାରେ ଡେରା ପକାଇଥିଲା କମିଶନରେଟ୍ ପୋଲିସ। ଆଜି ହାଇଦରକୁ ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରୁ ଗିରଫ କରାଯାଇଛି।
ଫେରାର୍ ପରଠାରୁ ହାଇଦର ଉପରେ ପୋଲିସ ନଜର ରଖିଥିଲା ବୋଲି ପୋଲିସ କମିଶନର କହିଛନ୍ତି। ୨ଟି ଟିମ୍ ହାଇଦ୍ରାବାଦରେ ପହଞ୍ଚି ହାଇଦର ଉପରେ ନଜର ରଖିଥିଲେ। ସ୍ଥାନୀୟ ପୋଲିସ ସହାୟତାରେ ସନ୍ଧ୍ୟାରେ ହାଇଦର ବାଇକରେ ଯିବା ବେଳେ କଟକ ଓ ତେଲଙ୍ଗାନା ପୋଲିସ ମିଳିତ ଭାବେ ଗିରଫ କରିଛନ୍ତି।
ହାଇଦରକୁ ଓଡ଼ିଶା ଆଣିବା ଲାଗି ବ୍ୟବସ୍ଥା କରାଯାଉଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଓଡ଼ିଶା ଆଣିଲା ପରେ ସେ କେମିତି ଫେରାର୍ ହେଲା, ଷଡ଼ଯନ୍ତ୍ର ଥିଲା କି ନାହିଁ ତଦନ୍ତ ହେବ। ଫେରାରରେ କିଏ କିଏ ସାମିଲ୍ ପଚରାଉଚରା କରାଯିବ ବୋଲି ପୋଲିସ କମିଶନର କହିଛନ୍ତି।