ପୁଣି ତାଳଚେରର ସମସ୍ତ କୋଇଲା ଖଣି ବନ୍ଦ

ଅନୁଗୋଳ : ତାଳଚେର କୋଇଲା ଖଣି ସମସ୍ୟା ଥମିବାର ନାଁ ନେଉନି। ପୁଣିଥରେ ତାଳଚେରର ସମସ୍ତ କୋଇଲା ଖଣିକୁ ବନ୍ଦ କରିଛନ୍ତି ଭରତପୁର କୋଇଲା ଖଣିରେ ମୃତ ହୋଇଥିବା ଶ୍ରମିକଙ୍କ ପରିବାରରଲୋକ। କ୍ଷତିପୂରଣ ଏବଂ ସ୍ଥାୟୀ ନିଯୁକ୍ତିର ଆଶ୍ଵାସନା ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କ୍ଷତିପୂରଣ ଦେଇନାହିଁ ଏମସିଏଲ । କେବଳ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୫ ଲକ୍ଷ ଟଙ୍କା ସହାୟତା ଶ୍ରମ ମନ୍ତ୍ରୀ ଆସି ମୃତକଙ୍କ ପରିବାରଙ୍କୁ ଭେଟି ଦେଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏମସିଏଲ ପକ୍ଷରୁ କୌଣସି ସହାୟତା ଦିଆଯାଇନାହିଁ । ତେଣୁ ଖଣି ବନ୍ଦ କରିଛନ୍ତି ମୃତକଙ୍କ ପରବାର ଲୋକ। ସେପଟେ ପ୍ରତି ପରିବାରଙ୍କୁ ୩ କୋଟି ଟଙ୍କାର ସହାୟତା ସାଙ୍ଗକୁ ଜଣକୁ ସ୍ଥାୟୀ ଚାକିରୀ ଦାବି ରଖିଥିଲେ ନିଜେ ତାଳଚେର ବିଧାୟକ ଏବଂ ତାଳଚେର ସୁରକ୍ଷା ମଞ୍ଚ।
ସେପଟେ ଯେଭଳି ଭାବରେ ଏନଟିପିସିରେ କୋଇଲା ସଙ୍କଟ ଲାଗି ରହିଥିଲା ସେଭଳି ସଙ୍କଟ ଲାଗି ରହିଛି। ଏନଟିପିସିର ୬ଟି ୟୁନିଟ ରୁ ୩ ଟି ୟୁନିଟ ବନ୍ଦ ରହିଛି। ଉତ୍ପାଦନ ୩ ହଜାର ମେଗାୱାଟରୁ ଖସି ଏବେ ଏକ ହଜାର ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି। ସେପଟେ ଖଣି ବନ୍ଦ ଯୋଗୁଁ ୧୦ ହଜାର ଟ୍ରକ୍ର ଅଖଚକା ବନ୍ଦ। କ୍ଷତିରେ କେମିତି ଦେବେ ଋଣ କିସ୍ତି ସେନେଇ ଚିନ୍ତାରେ ଗାଡି ମାଲିକ। ଅନ୍ୟ ପକ୍ଷରେ ଏ ସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଳାପାଳ ଏମସିଏଲର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିବା ସହ ଖଣି ସୁରକ୍ଷା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ସମସ୍ୟାର ସମାଧାନ ନ ହେଲେ, ଖଣିରେ ଅଚଳାବସ୍ଥା ଲାଗି ରହିଲେ ଏନଟିପିସି, ନାଲକୋ ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ସହ କ୍ଷୁଦ୍ର ଶିଳ୍ପରେ ଅଚଳାବସ୍ଥା ଲାଗି ରହିବ।
Comments are closed.