ନକଲି ଆଇପିଏସ୍ ଅଧିକାରୀ ଗିରଫ, ଡିଆଇଜି ଭାବି ସାଲ୍ୟୁଟ ମାରିଥିଲେ ଥାନାବାବୁ
![](https://www.odishalink.com/wp-content/uploads/2021/01/police-1.jpg)
ପାଟନା: ନକଲି ଆଇପିଏସ୍ ଅଧିକାରୀକୁ ଡିଆଇଜି ଭାବି ସାଲ୍ୟୁଟ ମାରିଲେ ଥାନାବାବୁ। ଟଙ୍କା ଆଦାୟ କରିବାକୁ ଆସି ଧରା ପଡିଲେ ନକଲି ଆଇପିଏସ ଅଫିସର। ଏଭଳି ଘଟଣା ଘଟିଛି ବିହାରର ଦୀପନଗର ଥାନା ଅନ୍ତର୍ଗତ କୋରାଇରେ।
ନକଲି ଆଇପିଏସ ଅଫିସରଙ୍କ ନାମ ହେଉଛି ସୁଜିତ କୁମାର।
ସୂଚନା ମୁତାବକ, ସୁଜିତ କୁମାର ନିଜକୁ ଆଇପିଏସ ଅଫିସର କହି ଜଣେ ଯୁବତୀଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇଥିଲେ। ଚାକିରି ପାଇଁ ସେ ଯୁବତୀଙ୍କ ଠାରୁ ପ୍ରାୟ ୧୧ ଲକ୍ଷ ଟଙ୍କା ନେଇଥିଲେ। ଆଉ ୧ ଲକ୍ଷ ଟଙ୍କା ଦେବାକୁ ପୁଣି ନକଲି ଆଇପିଏସ ଅଫିସର ଜଣକ କହିବାରୁ ଯୁବତୀ ଜଣଙ୍କ ସନ୍ଦେହ କରିଥିଲେ।
କୌଶଳ କ୍ରମେ ଯୁବତୀ ଜଣଙ୍କ ସୁଜିତଙ୍କୁ ଘରକୁ ଡାକିଥିଲେ। ସୁଜିତ ଟଙ୍କା ନେବାକୁ ଆସିବା ସମୟରେ ଯୁବତୀ ଓ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଅଟକ ରଖି ଏନେଇ ପୁଲିସକୁ ଖବର ଦେଇଥିଲେ। ମାତ୍ର ପୁଲିସ ବାବୁ ଆସି ନିଜ ଆଖିକୁ ପ୍ରଥମେ ବିଶ୍ୱାସ ନକରି ଓ ନକଲି ଆଇପିଏସ ଅଫିସରଙ୍କୁ ସାଲ୍ୟୁଟ ମାରିଥିଲେ।
ପରେ ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହେବାରୁ ଥାନା ବାବୁ ଜଣକ ସୁଜିତ କୁମାରଙ୍କୁ ପଚରାଉଚୁରା କରି ସତ ଜାଣିଥିଲେ। ସୁଜିତ କୁମାରଙ୍କ ପାଖରୁ ନକଲି ଆଇକାର୍ଡ, ପ୍ଲାଷ୍ଟିକ ବନ୍ଧୁକ ଓ ନକଲି ୟୁନିଫର୍ମ ଜବତ କରାଯାଇଛି।