Odisha Link
Bridging the Missing Links in Odisha

ବିନା ହେଲମେଟ ଓ ମାସ୍କରେ ଚୌଦ୍ବାରରୁ ପୁରୀ!

ଭୁବନେଶ୍ବର: ରାଜନୈତିକ ଶୋଭାଯାତ୍ରା ଓ ଧାର୍ମିକ ସମାଗମରେ ସରକାରୀ ନିୟମର ବେଖାତିର କରାଯିବା କିଛି ନୂଆକଥା ନୁହେଁ। ସେଭଳି ଆଉ ଗୋଟିଏ ଉଦାହରଣ ସୃଷ୍ଟି କରିଛନ୍ତି ପୁରୀର ଚର୍ଚ୍ଚିତ ନାଗା ବାବା ବୈଷ୍ଣବ ପୁରୀ। ଗତ ଏକ ମାସ ଧରି ଏକ ମାମଲାରେ ଚୌଦ୍ବାର ଜେଲରେ ବନ୍ଦୀ ଥିବା ନାଗା ବାବା ଜାମିନରେ ଆସିଛନ୍ତି। ଗତକାଲି ବାବା କୋଭିଡ୍‌ କଟକଣା ନମାନି ସେ ଶୋଭାଯାତ୍ରାରେ ଜେଲରୁ ଫେରିବା ଫଟୋ ଭାଇରାଲ୍‌ ହେବାରେ ଲାଗିଛି।

ବାବା ନିଜେ ଏକ ବାଇକ୍‌ ଚଲାଉଥିବା ବେଳେ ତାଙ୍କ ପଛରେ ଜଣେ ଅନୁଗାମୀ ବସିଛନ୍ତି। ଅନ୍ୟ ଅନୁଗାମୀମାନେ ତାଙ୍କ ସହ ବାଇକ୍‌ରେ ଅନୁସରଣ କରୁଛନ୍ତି।

ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବା ବେଳେ ମାସ୍କ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହା ଭିନ୍ନ ମୋଟର ଭେହିକଲ୍‌ ଆଇନ ଅନୁସାରେ ଦ୍ବେତନଗରୀରେ ଉଭୟ ବାଇକଚାଳକ ଓ ତାଙ୍କ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଉଭୟ ମୋଟର ଭେହିକଲ୍‌ ନିୟମ ଓ ମହାମାରୀ ନିୟମକୁ ବେଖାତିର କରିଛନ୍ତି ବାବା ଓ ତାଙ୍କର ଅନୁଗାମୀ।

ସାଧାରଣ ଜନତାଙ୍କ ପାଇଁ ଏହି ନିୟମ ସବୁ କଡ଼ାକଡ଼ି ପାଳନ କରାଯିବା ସହ ଅମାନିଆଙ୍କ ଠାରୁ ମୋଟାଅଙ୍କର ଜୋରିମନା ମଧ୍ୟ ଆଦାୟ କରାଯାଉଛି। ଅନ୍ୟପଟେ ବିଭିନ୍ନ ସମୟରେ ରାଜନେତା ଓ ଧର୍ମୀୟ ଅନୁଷ୍ଠାନର ପ୍ରତିନିଧି ଏସବୁ ନିୟମର ଖୋଲା ଉଲ୍ଲଂଘନ କରୁଥିଲେ ବି ପୁଲିସର ନିଷ୍କ୍ରିୟତା ଜନତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟିକରିଛି।

Leave A Reply

Your email address will not be published.