ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ରାଜ୍ୟର ୧୮ ବର୍ଷରୁ ଅଧିକ ବୟସର ୨ କୋଟି ଲୋକ ଉପକୃତ ହେବେ। ଏଥିପାଇଁ ମୋଟ ୨,୦୦୦କୋଟି ଟଙ୍କା ଖର୍ଚ୍ଚ ହେବ।
ଭୁବନେଶ୍ବର: କୋଭିଡ୍ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରାଜ୍ୟର ସମସ୍ତଙ୍କୁ ମାଗଣା ଟିକା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ରାଜ୍ୟର ୧୮ ବର୍ଷରୁ ଅଧିକ ବୟସର ୨ କୋଟି ଲୋକ ଉପକୃତ ହେବେ। ଏଥିପାଇଁ ମୋଟ ୨,୦୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରାଦେଶ ଏବେ ଏକ କଠିନ ପରିସ୍ଥିତି ଦେଇ ଗତିକରୁଛି। ଗତବର୍ଷ ଠାରୁ ଏଥର ସ୍ଥିତି ଅଧିକ ଭୟଙ୍କର। ପରିସ୍ଥିତିର ଭୟାବହତା ବୁଝିବା ଲାଗି ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ନିମୟ ମାନି ସାବଧାନ ରହି ଆମେ ଲକ୍ଡାଉନ୍ ଭଳି ସ୍ଥିତିକୁ ଏଡ଼େଇଦେଇ ପାରିବା ବୋଲି ସେ କହିଥିଲେ। ରାଜ୍ୟର ପ୍ରତିଟି ମଣିଷର ଜୀବନ ତାଙ୍କ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଯଥାରେ ଘରୁ ନବାହାରିବା ପାଇଁ ସମସ୍ତଙ୍କୁ ହାତଜୋଡ଼ି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ମାଗଣା ଟିକାର ସୁବିଧା ସମସ୍ତ ଓଡ଼ିଶାବାସୀ ପାଇବେ। ପୂର୍ବରୁ ୪୫ ବର୍ଷ ଓ ତହିଁରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆ ସରିଥିବା ବେଳେ ୧୮ରୁ ୪୪ ବର୍ଷ ବୟସ ଭିତରେ ରାଜ୍ୟର ୨ କୋଟି ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦିଆଯିବ। ଏଥିପାଇଁ ରାଜ୍ୟ ରାଜକୋଷରୁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।