Odisha Link
Bridging the Missing Links in Odisha

କରୋନା ଦ୍ୱିତୀୟ ଲହରରେ କିପରି ରହିବେ ସୁରକ୍ଷିତ, ଆରଏମଆରସି ନିର୍ଦ୍ଦେଶିକାଙ୍କ ପରାମର୍ଶ

ଭୁବନେଶ୍ବର: ଅଣାୟତ୍ତ କଲାଣି ମହମାରୀ କରୋନାର ଦ୍ୱିତୀୟ ଲହର। ହୁହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ବଢୁଥିବା କୋଭିଡ୍ ସଂକ୍ରମଣ ନେଇ ପ୍ରେସମିଟ ଜରିଆରେ ରାଜ୍ୟବାସୀଙ୍କ ସମସ୍ତ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି। କୋଭିଡ୍ ଦ୍ୱିତୀୟ ଲହରରେ କିପରି ସୁରକ୍ଷିତ ରହିବେ ସେ ନେଇ ପରାମର୍ଶ ଦେଇଛନ୍ତି।

ସଂଘମିତ୍ରା ପତି କହିଛନ୍ତି, ଦ୍ୱିତୀୟ ଲହର ସବୁବେଳେ ଅଧିକ ବେଗରେ ବ୍ୟାପିଥାଏ । ତେଣୁ ସମସ୍ତେ ଅଧିକ ସଚେତନ, ସତର୍କ ରହିବା ନିହାତି ଆବଶ୍ୟକ। ଏଥିସହ ଯଦି କାହା ପାଖରେ କୋଭିଡର ଲକ୍ଷଣ ପ୍ରକାଶ ପାଉଛି ତେବେ ସେ ତୁରନ୍ତ ଯାଇ ପରୀକ୍ଷା କରାଇନେବା ଉଚିତ୍। ଯଦି ଜଣେ ବ୍ୟକ୍ତି ଟିକା ନେଇ ମଧ୍ୟ କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସୁଛି, ତେବେ ସେ ମଧ୍ୟ ନିଜକୁ ସଙ୍ଗରୋଧରେ ରଖିବା ସହିତ ଆବଶ୍ୟକ ସ୍ଥଳେ ଟେଷ୍ଟ କରାଇନେବାକୁ ସେ କହିଛନ୍ତି।

ଅନ୍ୟପଟେ ଜଣେ ବ୍ୟକ୍ତି ନିଜର ସାମ୍ପୁଲ ପରୀକ୍ଷା ପାଇଁ ଦେଇଥିଲେ, ରିପୋର୍ଟ ଆସିବା ଯାଏଁ ନିଜକୁ ସଙ୍ଗରୋଧରେ ରଖନ୍ତୁ। କୋଭିଡର ସମସ୍ତ ନିୟମ ପାଳନ କରିବା ସହିତ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ଡାକ୍ତର ସଂଘମିତ୍ରା ପତି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆବଶ୍ୟକସ୍ଥଳେ ଲୋକମାନେ ୧୦୪, ୧୯୨୯ ନମ୍ବରରେ ଡାଏଲ କରିବା ସହିତ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ବୋଲି କହିଛନ୍ତି।

ଏହାସହ ଯଦି ଗୋଟିଏ ପରିବାରର ସମସ୍ତେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ସେମାନେ ସମସ୍ତେ ସାଙ୍ଗ ହୋଇ ରହିପାରିବେ। ହେଲେ ଏହି ସମୟରେ ସେମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହ ଯଦି ନେଗେଟିଭ୍ ରିପୋର୍ଟ ମିଳିବା ପରେ ବି ଆପଣଙ୍କ ପାଖରେ କୋଭିଡର ଲକ୍ଷଣ ଦେଖିବାକୁ ମିଳୁଛି, ତେବେ ଡାକ୍ତରଙ୍କ ପରାମର୍ଶ ସହିତ ତୁରନ୍ତ ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.