କରୋନା: ଏଣିକି ଘରେବି ପିନ୍ଧନ୍ତୁ ମାସ୍କ, ବାହାରକୁ ଗଲେ ଡବଲ ମାସ୍କ
![](https://www.odishalink.com/wp-content/uploads/2021/04/mask-2.jpg)
ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ହୁହୁ ହେଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଭଳି ସମୟରେ କରୋନାକୁ ମାତ ଦେବା ପାଇଁ ଟିକାକରଣ ସହ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି। ମାସ୍କକୁ ଭଲଭାବେ ପିନ୍ଧିବା ପାଇଁ କୁହାଯାଉଥିବା ବେଳେ ଏଣିକି ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।
ଏନେଇ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ, ପ୍ରଥମ ଲହର ଠାରୁ ୨ୟ ଲହର ୪ ଗୁଣା ଅଧିକ ବେଗରେ ବଢ଼ୁଛି। ସୁତରାଂ ପ୍ରଥମ ଲହର ଠାରୁ ଏବେ ୪ ଗୁଣା ଅଧିକ ସତର୍କ ହେବା ଦରକାର। ଏବେ ବାହାରକୁ ଗଲେ ନିଶ୍ଚିତ ଡବଲ ମାସ୍କ ପିନ୍ଧନ୍ତୁ ଏବଂ ଘରେ କପଡ଼ା ମାସ୍କ କିମ୍ବା ସର୍ଜିକାଲ ମାସ୍କ ପିନ୍ଧି ସୁରକ୍ଷିତ ରୁହନ୍ତୁ ବୋଲି ଡାକ୍ତର ନରେଶ ତ୍ରେହାନ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଅଯଥାରେ ମେଡିକାଲ ଯାଇ ଗହଳି କରନ୍ତୁ ନାହିଁ। ଡାକ୍ତର କହିଲେ ଯାଆନ୍ତୁ। ଟିକାକୁ ନେଇ ଶଙ୍କା କରନ୍ତୁ ନାହିଁ। ଜୁଲାଇ ସୁଦ୍ଧା ଟିକା ଉତ୍ପାଦନ ହୋଇସାରିଥି। ଅଭାବ ରହିବ ନାହିଁ। କୋଭିସିଲ୍ଡ ବ୍ୟବଧାନ ବଢିବା ନେଇ ଏବେ ଦେଶରେ ବିତର୍କ ଲାଗି ରହିଛି। ହଟସ୍ପଟ ଅଞ୍ଚଳରେ ବ୍ୟବଧାନ ୬ ସପ୍ତାହ କରାଯିବା ମୋର ମତ। ଟିକା ନେଲା ପରେ ବି କୋଭିଡ ନିୟମ ମାନିବା ନିହାତି ଦରକାର ବୋଲି ଡାକ୍ତର ନରେଶ ତ୍ରେହାନ କହିଛନ୍ତି ।