ହରିଆଣା: ୨୨ ଜଣଙ୍କ ଦ୍ବାରା ଧର୍ଷଣର ଶିକାର ହେଲେ ଯୁବତୀ
ମେ ୩ ତାରିଖ ରାତିରେ ପଲଓ୍ବାଲ ନିକଟରେ ଏକ ଜଙ୍ଗଲ ଭିତରେ ଯୁବତୀଙ୍କୁ ଗଣଧର୍ଷଣ କରାଯାଇଛି।

ପଲଓ୍ବାଲ: ଦିଲ୍ଲୀର ବଦରପୁର ଅଞ୍ଚଳରେ ରହୁଥିବା ଜଣେ ୨୩ ବର୍ଷୀୟ ଯୁବତୀ ଗଣଧର୍ଷଣର ଶିକାର ହୋଇଛନ୍ତି। ଅତି କମରେ ୨୨ ଜଣ ତାଙ୍କୁ ଧର୍ଷଣ କରିଥିବା ନିଜ ଅଭିଯୋଗରେ ଦର୍ଶଇଛନ୍ତି। ପୀଡ଼ିତା। ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି ହରିଆଣା ପୁଲିସ।
ଘଟଣା ଘଟିଛି ହରିୟାଣାର ପଲଓ୍ବାଲର ଏକ ନିକାଞ୍ଚନ ସ୍ଥାନରେ। ମେ ୩ ତାରିଖ ରାତିରେ ପଲଓ୍ବାଲ ନିକଟରେ ଏକ ଜଙ୍ଗଲ ଭିତରେ ଯୁବତୀଙ୍କୁ ଗଣଧର୍ଷଣ କରାଯାଇଛି।
ପୁଲିସ ସୂଚନା ଅନୁସାରେ ଯୁବତୀଙ୍କ ଘର ଉତ୍ତରାଖଣ୍ଡରେ ହୋଇଥିବା ବେଳେ ତାଙ୍କ ପରିବାର ଏବେ ଉତ୍ତରପ୍ରଦେଶରେ ରହୁଛନ୍ତି। ଯୁବତୀ ଜଣକ ହରିଆଣା-ଦିଲ୍ଲୀ ସୀମାନ୍ତ ଦିଲ୍ଲୀର ବଦରପୁର ଅଞ୍ଚଳରେ ରହୁଥିଲେ। ସାମାଜିକ ଗଣମାଧ୍ୟମରେ ତାଙ୍କର ଜଣେ ଯୁବକଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ଏ ସମ୍ପର୍କ କ୍ରମେ ପ୍ରେମର ରୂପ ନେଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣକ ଯୁବତୀଙ୍କ ନିକଟତର ହେବାକୁ ଚାହିଥିଲେ ଓ ମେ ୩ ତାରିଖରେ ତାଙ୍କୁ ପଲଓ୍ବାଲର ହୋଦାଲକୁ ଡକାଇଥିଲେ।
ଯୁବତୀ ଜଣକ ପହଞ୍ଚିବା ପରେ ଉଭୟେ ଏକାଠି ଖାଇଥିଲେ ଓ ମଦ୍ୟପାନ କରିଥିଲେ ବୋଲି ପୁଲିସ କହିଛି। ଏହା ପରେ ଯୁବକ ଜଣକ ଯୁବତୀଙ୍କୁ ସ୍ଥାନୀୟ ଏକ ନଳକୂଅ ନିକଟକୁ ନେଇଥିଲେ, ଯେଉଁଠି ଆଉ କିଛି ଯୁବକ ସେମାନଙ୍କ ସହ ସାମିଲ ହୋଇଥିଲେ। ସେଠାରୁ ଯୁବକମାନେ ଯୁବତୀଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଜଣେ ପରେ ଜଣେ ଧର୍ଷଣ କରିଥିବା ପୁଲିସକୁ କହିଛନ୍ତି ପୀଡ଼ିତା। ପରଦିନ ସେମାନେ ଯୁବତୀଙ୍କୁ ନେଇ ବଦରପୁର ଠାରେ ଛାଡ଼ି ଦେଇଥିଲେ।
ପୀଡ଼ିତାଙ୍କ ବୟାନ ଆଧାରରେ ମାମଲା ରୁଜୁ ହେବା ସହ ମୁଖ୍ୟ ଅଭିଯୁକ୍ତ ତଥା ଯୁବତୀଙ୍କ ପ୍ରେମିକକୁ ଗିରଫ କରାଯାଇଛି। ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ପୁଲିସ।