ଆଜି ଅପରାହ୍ନରେ ବାତ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
![](https://www.odishalink.com/wp-content/uploads/2020/12/Cm-Naveen-Patnaik-735x430.jpg)
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ମୁହାଁ ହେଉଛି। ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ବେଳେ ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି। ବାତ୍ୟା ୟାସ୍ ନେଇ ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ କିପରି ନଜର ରଖାଯାଇଛି, ସେନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅପରାହ୍ନ ସାଢେ ୫ଟାରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।
ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ସହିତ ବାତ୍ୟା ମୁକାବିଲା କରିବାକୁ ଓଡ଼ିଶା ପ୍ରସ୍ତୁତ ଅଛି ବୋଲି କହିଥିଲେ। ସମସ୍ତେ ଏକାଠି ଲଢିଲେ ଆମେ ନିଶ୍ଚୟ ୟାସକୁ ମାତ୍ ଦେଇପାରିବା ବୋଲି କହିଥିଲେ। ଏଥିସହ କରୋନା ସମୟରେ ବାତ୍ୟା ଡବଲ ବିପଦ ହୋଇଆସିଛି। ତେଣୁ ସମସ୍ତେ ଏହି ସମୟରେ ଦୁଇଟି ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।
ଅନ୍ୟପଟେ ଏବେ ସମୁଦ୍ର ଭିତରେ ପ୍ରବଳ ବାତ୍ୟାର ରୂପ ନେଇସାରିଛି ୟାସ୍। ଧାମରା ଓ ଚାନ୍ଦବାଲି ନିକଟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି। ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାତ୍ୟାର ପ୍ରଭାବରୁ କିଛି ଅଞ୍ଚଳରେ ବର୍ଷା ସହ ପବନ ବହୁଛି।