ଏଣିକି କଥା କହିବା ବେଳେ ଆଉ ଖସାଇବାକୁ ପଡିବନି ମାସ୍କ, ଆସିଲା ମାଇକ୍ ଓ ସ୍ପିକର ଖଚିତ ମାସ୍କ

କେରଳ: କରୋନା ମହମାରୀ ଠୁ ରକ୍ଷା ପାଇବା ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଆପଣ ବିଭିନ୍ନ ପ୍ରକାରର ମାସ୍କ ଦେଖିଥିବେ। କେଉଁଠି ସୁନାରେ ତିଆରି ମାସ୍କ ତ କେଉଁଠି ରତ୍ନ ଖଚିତ ମାସ୍କ। ହେଲେ ଆମେ ଆପଣଙ୍କୁ ଏକ ଏଭଳି ସାସ୍କ କଥା କହୁଛୁ ଯାହାକୁ ପିନ୍ଧିଲେ ଆପଣଙ୍କୁ ଆଉ କଥା କହିବା ବେଳେ ମାସ୍କ କାଢିବାକୁ ପଡିବନି।
ସାଧାରଣତଃ ଅନେକ ଲୋକ କଥା କହିବା ବେଳେ, ମାସ୍କକୁ ମୁହଁରୁ ତଳକୁ ଖସାଇଦେଇଥାନ୍ତି। କାରଣ ମାସ୍କ କଥା କହିବା ବେଳେ ଶ୍ୱାସକ୍ରିୟାରେ ସାମାନ୍ୟ ଅସୁବିଧା ହୁଏ। ଏଣିକି କଥା କହିବା ବେଳେ ଆଉ କାଢିବାକୁ ପଡିବନି ମାସ୍କ କାରଣ ଏବେ ଏକ ମାସ୍କ ଆସିଛି ଯେଉଁଥିରେ ଲାଗିଛି ମାଇକ୍ ଆଉ ସ୍ପିକର।
କେରଳର ଥ୍ରିସୁର ଜିଲ୍ଲାର ଜଣେ ବିଟେକ୍ ପ୍ରଥମ ବର୍ଷର ଛାତ୍ର କେଭିନ୍ ଜାକବ ଏହି ନିଆରା ମାସ୍କଟିକୁ ତିଆରି କରିଛନ୍ତି। ଯାହାକୁ ପିନ୍ଧିଲେ, ନା ଶ୍ୱାସକ୍ରିୟାରେ କୌଣସି ଅସୁବିଧା ହେବ, ନା କଥା କହିବାରେ। ଏହି ମାସ୍କ ପିନ୍ଧିଲେ, ଆପଣ ଠିକ୍ ଭାବେ କଥା କହିପାରିବେ ଏବଂ ସାମ୍ନାରେ ଥିବା ଲୋକ ମଧ୍ୟ ଆପଣଙ୍କ କଥାକୁ ଠିକ୍ ଭାବେ ଶୁଣିପାରିବ।
ମହାମାରୀ ଯୁଦ୍ଧରେ ମାସ୍କ ହେଉଛି ସବୁଠାରୁ ବଡ ଅସ୍ତ୍ର। ବିଶେଷଜ୍ଞ ଏବଂ ବରିଷ୍ଠ ଡାକ୍ତର ସବୁବେଳେ ମୁହଁରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ ଅନେକ ଲୋକ ଠିକ ଭାବେ ମାସ୍କ ପିନ୍ଧୁନାହାନ୍ତି। ଏବଂ କଥା କହିବା ବେଳେ, ମାସ୍କକୁ ଟିକେ ତଳକୁ ଖସାଇ ଦେଇଥାନ୍ତି। ଯାହାକି ବିପଦଜନକ। ଏହାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ମାସ୍କଟିକୁ ତିଆରି କରିଛନ୍ତି କେଭିନ୍।