ସ୍ତ୍ରୀ ଥାଉ ଥାଉ ଅନ୍ୟ ମହିଳାକୁ ଘରକୁ ଆଣିବାରୁ ସ୍ୱାମୀକୁ ଟାଙ୍ଗିଆରେ ଆକ୍ରମଣ
ବୀରମିତ୍ରପୁର: ସ୍ୱାମୀକୁ ଟାଙ୍ଗିଆରେ ଆକ୍ରମଣ କଲା ସ୍ତ୍ରୀ। ପ୍ରଥମ ସ୍ତ୍ରୀ ଥିବା ବେଳେ ଆଉ ଜଣେ ମହିଳାଙ୍କୁ ଘରକୁ ଆଣିବାରୁ ସ୍ୱାମୀକୁ ଆକ୍ରମଣ କଲା ସ୍ତ୍ରୀ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ତଲସେରା ଗାଁରେ। ସ୍ୱାମୀଙ୍କ ନାଁ ଶ୍ୟାମ ସୁନ୍ଦର ସାହୁ। ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ସ୍ୱାମୀ ମେଡ଼ିକାଲ୍ ଚିକିତ୍ସିତ ହେଉଛନ୍ତି।
ସୂଚନା ମୁତାବକ, ୯ ବର୍ଷ ତଳେ ଶ୍ୟାମ ସୁନ୍ଦର ଅନୀତା ସାହୁଙ୍କୁ ବିବାହ କରିଥିଲେ। ଉଭୟଙ୍କର ୩ଟି ପିଲା ମଧ୍ୟ ଅଛନ୍ତି। ସ୍ତ୍ରୀ ଓ ୩ ପିଲା ଥିବାବେଳେ ଶ୍ୟାମ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଲେ। ପରେ ତାଙ୍କୁ ନିଜ ଘରକୁ ନେଇ ଆସିଲେ। ସ୍ୱାମୀଙ୍କ ଏପରି କାର୍ଯ୍ୟକୁ ଅନୀତା ବରୋଧ କରିଥିଲେ।
ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଅନୀତା ଏକ ଟାଙ୍ଗିଆରେ ସ୍ଵାମୀର ମୁଣ୍ଡକୁ ପ୍ରହାର ଦେଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୀରମିତ୍ରପୁର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଆରଜିଏଚ କୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସମ୍ବଲପୁର ବୁର୍ଲା ମେଡିକାଲକୁ ପଠାଇ ଦିଆଯାଇଛିl ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।
ଏ ନେଇ ବୀରମିତ୍ରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ପୁଲିସ ଜବତ କରିଥିବା ବେଳେ ଶ୍ୟାମଙ୍କ ପତ୍ନୀ ଅନୀତାଙ୍କୁ ଅଟକ ରଖିଛି।