ପୃଥିବୀ ଆଡ଼କୁ ମାଡ଼ିଆସୁଛି ସୌରଝଡ଼, କ’ଣ ସବୁ ପ୍ରଭାବିତ ହେବ ଜାଣନ୍ତୁ…

ୱାସିଂଟନ: ପୃଥିବୀ ଆଡ଼କୁ ମାଡ଼ିଆସୁଛି ସୌର ଝଡ଼। ଘଣ୍ଟା ପ୍ରତି ୧୬୦୯୩୪୪ କିମି ବେଗରେ ସୌରଝଡ଼ ପୃଥିବୀ ଆଡ଼କୁ ଆସୁଛି। ୨୪ ଘଣ୍ଟା ମଧ୍ୟରେ ଏହା ପୃଥିବୀ ସହ ମାଡ଼ ହେବ ବୋଲି ଆମେରିକାର ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଏହା ପ୍ରଭାବରେ ସାଟେଲାଇଟ୍, ଜିପିଏସ୍ ନାଭିଗେଶନ, ମୋବାଇଲ୍ ଫୋନ୍ ସିଗନାଲ୍ ଏବଂ ସାଟେଲାଇଟ୍ ଟିଭି ପ୍ରଭାବିତ ହେବା ସହ ବିଦ୍ୟୁତ୍ ସରବରାହ କିଛି ସମୟ ପାଇଁ ପ୍ରଭାବିତ ହୋଇପାରେ। ଯାହାର ପ୍ରଭାବ ବିମାନ ଉଡାଣ, ରେଡ଼ିଓ, କମୁ୍ୟନିକେସନ ଓ ଜଳବାୟୂ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି।
ସ୍ପେଶୱେଦର ଡଟ କମ ୱେବସାଇଟରେ ପ୍ରଦତ ସୂଚନା ଅନୁଯାୟୀ, ସୌରମଣ୍ଡଳରୁ ଜାତ ଏହି ଝଡ଼ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଉପରେ ପ୍ରଭାବ ପକାଇବ। ସେହିପରି ଉତର ଓ ଦକ୍ଷିଣ ଅକ୍ଷାଂଶରେ ରହୁଥିବା ଲୋକମାନେ ରାତିରେ ସୌରମଣ୍ଡଳର ଏକ ସୁନ୍ଦର ଦୃଶ୍ୟ ଅବଲୋକନ କରିପାରିବେ।
ଏନେଇ ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିୟମର ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ। ତାଙ୍କ କହିବା ମୁତାବକ ସୌରମଣ୍ଡଳରେ ବାରମ୍ବାର ବିସ୍ଫୋରଣମାନ ହୋଇଥାଏ। ବେଳେବେଳେ ଏହି ବିସ୍ଫୋରଣ ବଡ଼ ହୋଇଥିଲେ ଏହା ଦ୍ରୁତ ବେଗରେ ପୃଥିବୀ ପୃଷ୍ଠକୁ ମାଡ଼ି ଆସେ। ଏଥିରେ ଥିବା ନ୍ୟୁଟନ ଓ ପ୍ରୋଟନ ପରି ସୌରକଣିକା ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।
ହେଲେ ଏହାର ସାମାନ୍ୟ ପ୍ରଭାବ ରହିବ।
ଚୁମ୍ବକୀୟ ଶକ୍ତି ଦ୍ୱାରା ପରିଚାଳିତ ହେଉଥିବା ବିଦ୍ୟୁତ ଉତ୍ପାଦନ କିମ୍ବା ଟେଲିଫୋନ ସେବା ଏହାଦ୍ୱାରା ସାମାନ୍ୟ ପ୍ରଭାବିତ ହୋଇପାରେ। କିନ୍ତୁ ସେଭଳି କୌଣସି ବଡଧରଣର ଆଶଙ୍କା ନାହିଁ। ମଣିଷ କିମ୍ବା ଜୀବଜନ୍ତୁଙ୍କ ଉପରେ ମଧ୍ୟ ପ୍ରଭାବ ପଡିବ ନାହିଁ । ତେଣୁ ଏଥିପାଇଁ ଲୋକମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ।