AAPରେ ଯୋଗ ଦେବେକି ସିଦ୍ଧୁ? ପାଓ୍ବାର କରିଡରରେ ଚର୍ଚ୍ଚା
![](https://www.odishalink.com/wp-content/uploads/2021/06/sidhu-navjyoti.jpg)
ନୂଆଦିଲ୍ଲୀ: ୨୦୨୨ରେ ହେବ ପଞ୍ଜାବ ବିଧାନସଭା ନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳ ଆପଣାଉଛନ୍ତି ଭଳିକି ଭଳି ରଣନୀତି। ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି, ଅକାଳୀ ଦଳ ଓ ଆପ୍ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ କଂଗ୍ରେସ କନ୍ଦଳରେ ବିରାମ ଲାଗିବାର ନାଁ ଧରୁନି। ବିଶେଷକରି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ ବଢୁଛି ବରଂ କମିବାର ନାଁ ନେଉନାହିଁ । ଉଭୟଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଚରମ ସୀମାରେ ପହଞ୍ଚିଲାଣି । ଏହାରି ମଧ୍ୟରେ ସିଦ୍ଧୁଙ୍କର ଏକ ବୟାନ ପଞ୍ଜାବ ରାଜନୀତିକୁ ଆହୁରି ଉଷ୍ମ କରିଛି ।
ନବଜୋତ ସିଂହ ସିଦ୍ଧୁ ମଙ୍ଗଳବାର କହିଛନ୍ତି ଯେ, ପଞ୍ଜାବ ପାଇଁ ମୋର ଯାହା ଲକ୍ଷ୍ୟ ଅଛି ଓ କାର୍ଯ୍ୟଶୈଳୀକୁ ୟ ବିପକ୍ଷ ଦଳ AAP ସର୍ବଦା ବୁଝି ପାରିଛି। ୨୦୧୭ ପୂର୍ବରୁ (ଡ୍ରଗ୍ସ, ଚାଷୀ ସମସ୍ୟା, ଭ୍ରଷ୍ଟାଚାର ଏବଂ ବିଜୁଳି ସଙ୍କଟ) ଭଳି ସମସ୍ୟା ବେଳେ ପଞ୍ଜାବବାସୀଙ୍କ ସହିତ ରହିବା ହେଉ କିମ୍ବା ବର୍ତ୍ତମାନ ପଞ୍ଜାବ ମଡେଲ ହେଉ, ସବୁବେଳେ ଆପ୍ ଏହାକୁ ବୁଝିଛି ଏବଂ ଲୋକମାନେ ଜାଣିଛନ୍ତି ପଞ୍ଜାବ ପାଇଁ ପ୍ରକୃତରେ କିଏ ଲଢୁଛି । ସିଦ୍ଧୁଙ୍କ ଏଭଳି ମନ୍ତବ୍ୟ ପଞ୍ଜାବ ରାଜନୀତରେ ହଟଚମଟ ସୃଷ୍ଟି କରିଛି। ଯାହାକୁ ନେଇ ରାଜ୍ୟ ରାଜନୀତିରୁ ଆରମ୍ଭ କରି ଜାତୀୟ ରାଜନୀତି ପର୍ଯ୍ୟନ୍ତ ଚର୍ଚ୍ଚା ଲାଗି ରହିଛି।
ସୂଚନାଥାଉକି, ଅମରିନ୍ଦର ଓ ସିଦ୍ଧୁଙ୍କ କଳି କାହାକୁ ବି ଅଛପା ନାହିଁ। ଦୁଇ ନେତାଙ୍କ ମଧ୍ୟରେ ଲାଗି ରହହିଛି ବିବାଦ। ସିଦ୍ଧୁ କଂଗ୍ରେସ ଦଳ ଓ ପଞ୍ଜାବ ସରକାରରେ ଗୁରୁତ୍ବପୂର୍ଣ୍ଣ ପଦ ଚାହୁଁଛନ୍ତି। ଅନ୍ୟପଟେ ଅମରିନ୍ଦର ସିଂହ ସିଦ୍ଧୁଙ୍କୁ ନା କ୍ୟାବିନେଟରେ ସ୍ଥାନ ଦେବାକୁ ଚାହୁଁଛନ୍ତି ନା ସିଦ୍ଧୁ ଗୁରୁତ୍ପପୂର୍ଣ୍ଣ ପଦବୀରେ ଦେଖିବାକୁ ଚାହୁଁଛନ୍ତି। ଏବେ ଏହି ଦୁଇ ରାଜନେତାଙ୍କ କନ୍ଦଳ ପଞ୍ଜାବ ରାଜନୀତିରେ ନୂଆ ମୋଡ ଆଣିପାରେ ବୋଲି ମଧ୍ୟ ଖୁବ୍ ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ କିଛି ରାଜନୈତିଜ୍ଞ ବିଶେଷଜ୍ଞ ସିଦ୍ଧୁ ଆପ୍ରେ ଯୋଗ ଦେଇ ପାରନ୍ତି ବୋଲି ପୂର୍ବାନୁମାନ କରିଛନ୍ତି।